ବାରଖମା(ସନ୍ଦୀପ କୁମାର ନାୟକ): ରାଜ୍ୟ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରୁଛନ୍ତି ଶିକ୍ଷକ । ବିଦ୍ୟାଳୟକୁ ନିୟମିତ ଭାବେ ଖୋଲୁ ନାହାନ୍ତି, ମନ ମୁତାବକ ଖୋଲୁଛନ୍ତି, କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତର ବାଦୁଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ବାଦୁଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥି ନିମନ୍ତେ ପ୍ରଧାନଶିକ୍ଷକ କାହ୍ନୁ ଚରଣ ପଣ୍ଡା ଓ ସହ ଶିକ୍ଷୟିତ୍ରୀ ମାନସୀ ମଲିକ ଶିକ୍ଷା ଦାନ କରୁଛନ୍ତି । ଆଜି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ମାନସୀ ମଲିକ ଅନୁପସ୍ଥିତି ଥିବା ବେଳେ ପ୍ରଧାନଶିକ୍ଷକ କାହ୍ନୁ ଚରଣ ପଣ୍ଡା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ବିଦ୍ୟାଳୟକୁ ଛୁଟି କରିଦେଇଥିଲେ । ଏମିତି ଥରେ ନାହିଁ, ପ୍ରଧାନ ଶିକ୍ଷକ ଅନେକ ସମୟରେ ବିଦ୍ୟାଳୟକୁ ବନ୍ଦ ରଖୁଥିବା ଅଭିଯୋଗ ହୋଇଛି । ସେ ବିଭିନ୍ନ ଠିକା କାମରେ ସଂଶ୍ଲିଷ୍ଟ ଥିବା ମଧ୍ଯ ଜାଣିବାକୁ ମିଳୁଛି । ପ୍ରତିଦିନ ଭଳି ଆଜି ମଧ୍ୟ ପିଲାମାନେ ବିଦ୍ୟାଳୟରେ ଦିନ ୨ ଟା ପରେ ତାଲା ପକେଇ ଘରକୁ ଫେରୁଛନ୍ତି । ସମ୍ପୃକ୍ତ ଶିକ୍ଷକ ଓ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଓ ସିଆରସିସି ସଚ୍ଚିଦାନନ୍ଦ ପାତ୍ରଙ୍କୁ ପଚାରିବାରୁ ଏ ବିଷୟରେ କିଛି ଜାଣିନାହିଁ ବୋଲି କ୍ୟାମେରା ସମ୍ମୁଖରେ କହିଛନ୍ତି ।