ଭଞ୍ଜନଗର(ନିଲୁ ବିଷୋୟୀ): ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ପାଇଁ ବଜେଟରେ ପୂର୍ଣ୍ଣାଙ୍ଗ ଅନୁଦାନ ପ୍ରଦାନ କରିବା ସହ କାର୍ଯ୍ୟକୁ ଆରମ୍ଭ କରିବା ନେଇ ବୁଧବାର ଭଞ୍ଜନଗର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଟିମ୍ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ,ଏମ୍ଏସଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଗତିଶକ୍ତି ଯୋଜନାରେ ସାମିଲ କରିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିବାରୁ ସମୟସୀମା ଭିତରେ କିଭଳି ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବ ସେଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଓକିଲ ସଂଘ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ବରେ ଆଇନଜୀବୀ ସନ୍ତୋଷ କୁମାର ତିଆଡି, ବିଷ୍ଣୁପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ନାୟକ,ପ୍ରମୁଖ ବୁଗୁଡା ଠାରେ ମନ୍ତ୍ରୀ ଶ୍ରୀ ମଳିକଙ୍କୁ ଭେଟି ଉକ୍ତ ରେଳ ପ୍ରକଳ୍ପ ତ୍ବରାନ୍ବିତ ହେବ ସେନେଇ ଆଲୋଚନା କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏଦିଗରେ ସାକ୍ଷାତ କରି ଆଗାମୀ ବଜେଟରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ଅନୁଦାନ ନେଇ ଘୋଷଣା କରିବା ସହ ସରକାର ଜମି ଅଧିଗ୍ରହଣ ଦିଗରେ କାର୍ଯ୍ୟ ଆରମ୍ଭ କରିବାକୁ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ପ୍ରକଳ୍ପ ହେବା ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ, ସାମାଜିକ ଅଭିବୃଦ୍ଧି ଘଟିବା ସହ ହୋଟେଲ ଠାରୁ ଆରମ୍ଭ କରି ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ଗମନାଗମନ ଓ ବାଣିଜ୍ୟ ପରିବହନ କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଦୀର୍ଘ ବର୍ଷ ଧରି ଏହି ପ୍ରକଳ୍ପ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିବା ବେଳେ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଉକ୍ତ ପ୍ରକଳ୍ପ ଯିବାକୁ ଥିବା ସମସ୍ତ ଜିଲ୍ଲାର ଓକିଲ ସଂଘକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ଦାବିକୁ ଜୋରଦାର କରାଯାଇଥିଲା । ଗତ ଜୁନ ମାସରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋର୍ଟ ପରିସରରେ ଓକିଲ ସଂଘ ସଭାପତି ତଥା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଶୌଳେନ୍ଦ୍ର ନାରାୟଣ ସାହୁ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ହୋଇଥିଲା ।