ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣପୁର କ୍ଷେତ୍ର ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । ବିଭିନ୍ନ ସଂକୀର୍ତନ ମଣ୍ଡଳୀଙ୍କ ନାମ ଉଚ୍ଚାରଣ, କୁନିକୁନି ପିଲାଙ୍କ ଓଡିଶୀ ନୃତ୍ୟ ପରିବେଷଣ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ଵନୀରେ ଗୁଣପୁର ବଡ଼ଦାଣ୍ଡରେ ଏକ ଆଧ୍ୟାମିକ ଭାବଧାରା ସୃଷ୍ଟି ହୋଇଥିଲା। ଅପରାହ୍ନ ୩ ଟା ରେ ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି ବିଜେ କରି ଅଣା ଯାଇଥିଲା। ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ପହଣ୍ଡି ପରେ ରଥାରୂଢ କରାଯାଇଥିଲା । ରଥ ଉପରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଚାରମାଳ ଖୋଲାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ ରଥଟଣା ହୋଇଥିବା ବେଳେ ସାନରଥକୁ ମହିଳାମାନଙ୍କ ଦ୍ବାରା ଟଣା ଯାଇଥିଲା| ମାଉସୀ ମା’ଙ୍କ ଘର ନିକଟରେ ଦୁଇଟି ରଥ ଅଟକି ରହିଥିଲା। ପୋଡ଼ ପିଠା ଭୋଗ ଲାଗି ହେବା ପରେ ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପାଗ ମେଘୁଆ ଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଉପଜିଲ୍ଲାପାଳ କିରଣଦୀପ କୌର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ମନ୍ଦିର ପରିଚାଳନ। କମିଟିର ସଦସ୍ୟ, ବିଭିନ୍ନ ଗଣ ମାଧ୍ୟମ, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ଦିବ ଲୀଳାର ସହ ଭାଗୀ ହୋଇଥିଲେ ।