ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଦାରିଙ୍ଗବାଡି ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ନିଜ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ ବ୍ରାହ୍ମଣୀଗାଁ ୧୧ନଂ ଜିଲ୍ଲା ପରିଷଦ ଜୋନର ଆଠଗୋଟି ପଞ୍ଚାୟତ ଯଥା ବ୍ରାହ୍ମଣୀଗାଁ, ସରାମୁଳି, ତାଜୁ ଙ୍ଗିଆ, ହାତୀ ମୁଣ୍ଡା, ଗଦାପୁର, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡ଼ା ଓ କାଟିଙ୍ଗିଆ ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ଅଛି l ଏହା ସହ ବ୍ରାହ୍ମଣୀଗାଁରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ମେଗା ପ୍ରକଳ୍ପ ଜରିଆରେ ହେବାକୁ ଥିବା କାର୍ଯ୍ୟକୁ ତ୍ଵରାନିତ କରିବା, ବି ଏସ ଏନ୍ ଏଲ ସଂସ୍ଥାର ଇଣ୍ଟରନେଟ ସେବାର ସ୍ଥାୟୀ ପ୍ରତିକାର ଓ ବ୍ରାହ୍ମଣୀଗାଁ ମେଡ଼ିକାଲରେ ପ୍ରସୂତୀ ବିଭାଗର ଡାକ୍ତର ନିଯୁକ୍ତି ସହ ରୋଗୀ ଶଯ୍ୟା ସ୍ଥାପନ କରିବା ଆଦି ଦାବୀ ସମୂହ କରାଯାଇଅଛି । ଦାବୀ ପତ୍ର ପାଇବା ପରେ ବ୍ରାହ୍ମଣୀଗାଁ ଅଞ୍ଚଳ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେଇ ବ୍ଲକ ଗଠନ ପାଇଁ ବିଧାସଭାରେ ରଜ୍ୟ ସରକାରଙ୍କ ଠାରେ ନିଶ୍ଚିତ ଭାବେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି । ଏଥି ପୁର୍ବରୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହିଙ୍କ ଦୁଇ ଦିନିଆ ଦାରିଙ୍ଗବାଡି ଗସ୍ତ ସମୟରେ ମଧ୍ୟ ଉକ୍ତ ଦାବୀ ଉପସ୍ଥାପନା କରାଯାଇ ଥିଲା ସେ ମଧ୍ୟ ସ୍ଵତନ୍ତ୍ର ଆଗ୍ରହ ପ୍ରକାଶ କରି ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାରଙ୍କ ଠାରେ ଉକ୍ତ ପ୍ରସ୍ତାବକୁ ଗୃହୀତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ସାଂସଦ ଓ ବିଧାୟକଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଅଞ୍ଚଳ ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା ପ୍ରକଟ କରିଛନ୍ତି ଅଂଚଳ ବାସୀ ।