ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ବାଘ ଆତଙ୍କ: ଲାଗିଲା ଟ୍ରାଫ କ୍ୟାମେରା, ଗୋ ସମ୍ପଦ ସୁରକ୍ଷା ଦାବିରେ ଡିଏଫଓଙ୍କୁ ସ୍ମାରକପତ୍ର…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ବିଭିନ୍ନ ବନାଞ୍ଚଳରେ ବାଘ ଆତଙ୍କ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଗୋପାଳକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ସ୍ଥାୟୀ ଗୁହାଳ ଘର ନଥିବାରୁ କିପରି ହିଂସ୍ର ଜନ୍ତୁ ଠାରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବେ ଚିନ୍ତାରେ ପଡିଛନ୍ତି । ସୋମବାର କେନ୍ଦ୍ରୀୟ ବନାଞ୍ଚଳର ବଡ଼ରାଉଳ ନିକଟରେ ଏକ ବାଛୁରୀକୁ ବାଘ ମାରିବା ଅଭିଯୋଗ ପରେ ବନ କର୍ମଚାରୀ ମାନେ ତଦନ୍ତ କରିଥିଲେ । ପରେ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଲାଗି ରହିଥିବା ବିଭିନ୍ନ ସ୍ଥାନରେ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ଏଥିସହ ଗ୍ରାମବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ସଚେତନ କରାଯାଇଛି । ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ପ୍ରଧାନ ପ୍ରକାଶ କରିଛନ୍ତି । ପାଦଚିହ୍ନ ସାଙ୍ଗକୁ ଆକ୍ରମଣ ଶୈଳୀରୁ ଏହା ଏକ ବାଘ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ପ୍ରକୃତରେ ବାଘ ନା’ ଅନ୍ୟ କୌଣସି ହିଂସ୍ରଜନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇପାରୁନି। ଅନ୍ୟପକ୍ଷରେ ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବା ସ‌ହ ବାହାରୁ ଅଭିଜ୍ଞସମ୍ପନ୍ନ ଦଳକୁ ଆଣି ଗାଈଗୋରୁଙ୍କୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ନେବାକୁ ଘୁମୁସରୀ ଗୋପ୍ରଜାତି ବିକାଶ ଓ ସଂରକ୍ଷଣ ସୁରକ୍ଷା ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ବନଖଣ୍ଡର ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କୁ ଭେଟି ଗୁରୁବାର ଦାବିପତ୍ର ପ୍ରଦାନ କରିଛନ୍ତି । ଗତ କିଛି ମାସ ଧରି ପାଖାପାଖି ୨୦ ଟି ଗାଈ ଓ ବଳଦ ହିଂସ୍ର ଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ବନ ବିଭାଗ ପକ୍ଷରୁ ଲାଗୁଥିବା ଟ୍ରାଫ କ୍ୟାମେରା ରେ କୌଣସି ଚିତ୍ର ସ୍ୱଷ୍ଟ ନହେବା ମୁଣ୍ଡ ବ୍ୟଥାର କାରଣ ପାଲଟି ଥିବା ବେଳେ ଗୋପାଳ ଚାଷୀ ଭାଇ ମାନେ ଚିନ୍ତା ରେ ରହିଛନ୍ତି । ଉଭୟ ବନଖଣ୍ଡ ଅଧୀନରେ ଥିବା ମାଳତି, ହାତୀଗୁଣ୍ଡା, ମାଛଖାଇପଲ୍ଲୀ, କୁମାରଶୁଣି, କଇଠିଆମୁଣ୍ଡିଆ, ଦଦରାଲୁଣ୍ଡା, ଡ଼ହ, ବାଇବାଲି, ସମରବନ୍ଧ, ବୁଦୁଲି ଭଳି ବିଭିନ୍ନ ପାହାଡ଼ରୁ ହିଂସ୍ର ଜନ୍ତୁ ଆସି ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଛି । ଏଣୁ ଗୋସମ୍ପଦକୁ ସୁରକ୍ଷା ଦେବା ଓ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି। ଏଥି ସହିତ ବ୍ୟାପକ ସଚେତନତା ଓ ହେଲ୍ପ ଲାଇନ ନମ୍ବର, ଗାଈ ଗୋଠରେ ସୋଲାର ଲାମ୍ଫ ସ୍ଥାପନ ଦାବି କରିଛନ୍ତି । ଶ୍ରୀ ସାହୁଙ୍କ ସମେତ ପାଣ୍ଡବ ଗୌଡ଼ ଓ ପାଣ୍ଡା ଗୌଡ଼ ଦାବିପତ୍ର ପ୍ରଦାନ କରିଥିଲେ ।