ଭଞ୍ଜନଗର(ନିଲୁ ବିଷୋୟୀ): କିଛି ମାସର ନୀରବତା ପରେ ପୁଣି ଥରେ ଘୁମୁସର ଜିଲ୍ଲା ଗଠନ ଦାବି ଜୋର ହୋଇଛି। ଜିଲ୍ଲା ଗଠନ ସମେତ ବିଭିନ୍ନ ଦଫା ଦାବି ନେଇ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ, ଘୁମୁସର ବିକାଶ ପରିଷଦ ଓ ଘୁମୁସର ବାହିନୀ କର୍ମକର୍ତ୍ତାମାନେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହ ପୃଥକ୍ ଭାବେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଘୁମୁସର ବାହିନୀ ସମ୍ପାଦକ ନଚିକେତା ପ୍ରଧାନ, ମାଧବ ନାୟକ, ବିଶ୍ୱମ୍ଭର ଜେନା, ନିଲୁ ବିଷୋୟୀ, ପପୁ ପ୍ରଧାନ ଓ ଅରକ୍ଷିତ ପରିଚ୍ଛାଙ୍କ ନେତୃତ୍ବରେ ବିଧାୟକ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଘୁମୁସର ଜିଲ୍ଲା ଗଠନ ପାଇଁ ରାଜ୍ୟ ସ୍ତରରେ ରେ ଅଞ୍ଚଳବାସୀଙ୍କ ଦାବି ଉପସ୍ଥାପନ ନିମନ୍ତେ ସ୍ମାରକପତ୍ର ଦିଆଯାଇଥିଲା । ଏଥି ସହିତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ତିନି ଦଶନ୍ଧିର ଏହି ପୁରୁଣା ଦାବି ଘୁମୁସର ଜିଲ୍ଲା ଗଠନକୁ ରାଜ୍ୟ ସରକାର ଏଥର ବିଚାରକୁ ନିଅନ୍ତୁ ବୋଲି ନିବେଦନ କରାଯାଇଥିବା ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ ପ୍ରକାଶ କରିଛନ୍ତି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ବୈଠକଗୃହ ନିର୍ମାଣ ଓ ଭଞ୍ଜନଗରରେ ଶୀଳତଭଣ୍ଡାର ନିର୍ମାଣ ଦାବି କରାଯାଇଛି। ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ପ୍ରଫେସର୍ ଶିବରାମ ପଣ୍ଡା ଓ ସମ୍ପାଦକ ରବିନାରାୟଣ ସାମନ୍ତଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବିଧାୟକଙ୍କୁ ସମ୍ବଦ୍ଧିତ କରିଥିଲେ । ସେହିପରି ଘୁମୁସର ବିକାଶ ପରିଷଦ ପକ୍ଷରୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା, ବ୍ରହ୍ମପୁର-ଫୁଲବାଣୀ ରେଳପଥ ନିର୍ମାଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଙ୍ଗୀତ ବିଶ୍ଵବିଦ୍ୟାଳୟ ଓ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ଉପେନ୍ଦ୍ରଭଞ୍ଜଙ୍କ ନାମରେ ଡାକଟିକେଟ୍ ପ୍ରଚଳନ ଓ ଭଞ୍ଜ ସାହିତ୍ୟକୁ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅନୁବାଦ, କବିଙ୍କ ଶ୍ରେଷ୍ଠକାବ୍ୟ, ବୈଦେହୀଶ ବିଳାସ ନାମରେ ବୈଦେହୀ ଟ୍ରେନ୍ ପ୍ରଚଳନ, ବୀର ଚକରା ବିଶୋଇଙ୍କ ନାମରେ ଶାରୀରିକ ବିଶ୍ଵବିଦ୍ୟାଳୟ ସ୍ଥାପନ, ଖୋଲା ରଙ୍ଗମଞ୍ଚ ଓ ଘୁମୁସର ସଂଗ୍ରହାଳୟ ନିର୍ମାଣ, ଭଞ୍ଜନଗର ମେଡ଼ିକାଲ କୁ ଜିଲ୍ଲା ହସ୍ପିଟାଲ ମାନ୍ୟତା ପ୍ରଦାନ, ଆଞ୍ଚଳିକ ନିଦାନ ପରୀକ୍ଷା କେନ୍ଦ୍ର ଖୋଲିବା, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ନିଯୁକ୍ତି ଆଦି ଦାବି ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି। ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।