ଗଛରେ ପିଟି ହେଲା ଯାତ୍ରୀବାହୀ ବସ: ୨୦ ଯାତ୍ରୀ ଆହତ, ମେଡ଼ିକାଲରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ବୁଝିଲେ ବିଧାୟକ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧିନ ବାଣତୁମ୍ବ ଗାଁ ନିକଟରେ ଶୁକ୍ରବାର ରାତିରେ ଭୁବନେଶ୍ୱରରରୁ ବାଲିଗୁଡା ଯାଉଥିବା ଏକ ଓଏସ୍ଆରଟିସି ବସ୍ ଦୂର୍ଘଟଣାର ଶିକାର ହୋଇଛି। ବସ୍ ଟି ବେଲଗୁଣ୍ଠା ରେ ପହଞ୍ଚିବା ପରେ ଭଞ୍ଜନଗର ଦେଇ ବାଲିଗୁଡା ଯାଉଥିବା ବେଳେ ବେଲଗୁଣ୍ଠା ଠାରୁ ବାଣତୂମ୍ବ ମଝିରେ ପାନକିଆରୀ ନିକଟରେ ଡ଼ାହାଣ ପାର୍ଶ୍ୱ ରାସ୍ତା କଡରେ ଥିବା ଏକ କାକପୋଇ ଗଛକୁ ଧକ୍କା ଦେଇଥିଲା । ଫଳରେ ବସ୍ ଡ୍ରାଇଭର ସମେତ ବସରେ ଥିବା ୨୦ ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସୂଚନାନୁସାରେ,ଶୁକ୍ରବାର ସନ୍ଧ୍ୟାରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଙ୍କୁ ନେଇ ଉକ୍ତ ବସ୍ ଟି ନୟାଗଡ଼, ବେଲଗୁଣ୍ଠା, ଭଞ୍ଜନଗର ଦେଇ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଭିମୁଖେ ଆସୁଥିଲା।ରାତି ୯.୪୫ ସମୟରେ ଡ୍ରାଇଭର ଙ୍କୁ ଫିଟସ୍ ମାରିବା ଯୋଗୁଁ ସେ ଉପସ୍ଥିତ ବୃଦ୍ଧି ଖଟାଇ ବସ୍ କୁ ବାଣତୁମ୍ବ ନିକଟସ୍ଥ ପାନକିଆରୀ ଠାରେ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। କେହି ମୃତାହତହୋଇ ନଥିବା ବେଳେ ଏକ ବଡ଼ ଦୁର୍ଘଟଣା ରୁ ସମସ୍ତେ ବର୍ତ୍ତି ଯାଇଥିଲେ। ଗଛ ରେ ପିଟି ହେବା ଫଳରେ ବସରେ ଥିବା ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ବେଲଗୁଣ୍ଠା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ବ୍ୟକ୍ତି ବିଶେଷ ଙ୍କ ସହଯୋଗ କ୍ରମେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ  ଭଞ୍ଜନଗର ମେଡିକାଲକୁ ପଠାଇଥିଲେ। ସେଥିମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଥିବା ରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି।ଖବର ପାଇ ଭଞ୍ଜନଗରର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମେଡିକାଲ ରେ ପହଞ୍ଚି ଆହତ ଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ଆହତ ଙ୍କ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ। ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି ।