ରଥଯାତ୍ରା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଆଉ କିଛି ଦିନ ପରେ ହେବ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏଥି ନିମନ୍ତେ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଗଲାଣି। ପୁରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରମୁଖ ଜଗନ୍ନାଥ ମନ୍ଦିର ତଥା ଦେବୋତ୍ତର ବିଭାଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ରଥ ଯାତ୍ରାକୁ ସୁରୁଖୁରୁରେ ସମ୍ପାଦନା କରିବାକୁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଘୁମୁସର ଅଞ୍ଚଳର ପ୍ରସିଦ୍ଧ କୁଲାଡ଼ ଜଗନ୍ନାଥ ମନ୍ଦିରରେ ମଧ୍ୟ କିଭଳି ରଥ ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଯାତ୍ରା ଦିନ ସମସ୍ତ ନିତିକାନ୍ତି କିଭଳି ସୁଚାରୁ ରୂପେ କରାଯିବ ବିସ୍ତୃତ ଆଲୋଚନା କରାଯାଇଥିଲା। ରଥ ଯାତ୍ରା ପୂର୍ବରୁ ହେଉଥିବା ରଥ ନିର୍ମାଣ ସକାଶେ ମହାରଣା ଓ କାରିଗରଙ୍କ ସହ ଆଲୋଚନା କରି ଆବଶ୍ୟକ କାଠ ଯୋଗାଡ଼ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥି ନେଇ ବନବିଭାଗ କର୍ମଚାରୀ ଆବଶ୍ୟକ କାଠ ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା। କୁଲାଡ଼ ରଥ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଉଥିବାରୁ ରଥ ଯାତ୍ରା ଦିନ ଶାନ୍ତି ଶୃଙ୍ଖଳ ବଜାୟ ରଖିବାକୁ ସ୍ବେଚ୍ଛାସେବୀ ନିୟୋଜିତ କରିବାକୁ ରାଜସ୍ବ ବିଭାଗକୁ କହିଥିଲେ। ଜନସାଧାରଣଙ୍କ ପାଇଁ ପିଇବା ପାଣି ପାଇଁ ଟ୍ୟାଙ୍କର ସହ ଅସ୍ଥାୟୀ ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ରଥ ଯିବା ସମୟରେ ବିଦ୍ୟୁତ୍ ତାର ଯେପରି ରଥରେ ନଲାଗେ, ଆପାତକାଳ ପରିସ୍ଥିତି ପାଇଁ ଅଗ୍ନି ବିଭାଗ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ସରଞ୍ଜାମ ସହ କର୍ମଚାରୀ ନିୟୋଜିତ କରିବାକୁ ଆଲୋଚନା ହୋଇଥିଲା। ଏଥିସହ ନିୟମ ଅନୁଯାୟୀ ରୀତିନୀତି ସମାପନ କରିବାକୁ ମନ୍ଦିର ପୂଜକ ସହ ସମନ୍ୱୟ ରଖିବା ନେଇ ଆଲୋଚନା ହୋଇଛି। ବୈଠକରେ ତହସିଲଦାର ଉମାଶଙ୍କର ବେହେରା, ଥାନା ଅଧିକାରୀ କୁମାର ମୁଦୁଲି, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଜଳଯୋଗାଣ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ୱାଇଁ, ଅଗ୍ନିଶମ ଅଧିକାରୀ ସମୀର କୁମାର ବିଶ୍ଵାଳ, କୁଳାଡ ରାଜସ୍ବ ନୀରିକ୍ଷକ କେଦାର ଗନ୍ତୟତ, ପ୍ରକାଶ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଅରକ୍ଷିତ ପରିଛା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।