ହଜିବାକୁ ବସିଲାଣି ରଜପର୍ବର ଉତ୍ସୁକତା….

ଭଞ୍ଜନଗର(ନିଲୁ ବିଷୋୟୀ): ରଜ ପର୍ବ ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଏଥିପାଇଁ ଆମ୍ବ ତ‌ୋଟା ଠାରୁ ଆରମ୍ଭ କରି ବିଭିନ୍ନ ଘରେ ଏଥିପାଇଁ ଦୋଳି ପ୍ରସ୍ତୁତ କରି ଝୁଲିଥାନ୍ତି । ବିଶେଷ କରି ଯୁବତୀ ମାନଙ୍କ ପାଇଁ ଏହି ପର୍ବଟି ସ୍ବତନ୍ତ୍ର ହୋଇଥିବା ବେଳେ କୁନି କୁନି ଝିଅ ଠାରୁ ଯୁବତୀମାନେ ସଜବାଜ ହେବା ସହ ବିଭିନ୍ନ ପିଠାପଣା ଖାଇ ପର୍ବଟିକୁ ପାଳନ କରିଥାନ୍ତି । ଏହି ସମୟରେ ଦୋଳିର ମହତ୍ବ ବହୁତ ରହିଥିବା ବେଳେ ସଂପ୍ରତି ଗ୍ରାମାଞ୍ଚଳରେ ସାମାଜିକ ପରିବର୍ତ୍ତନ ଘଟିବା ଫଳରେ ପୂର୍ବ ଅପେକ୍ଷା ରଜପର୍ବର ଏତେ ଉତ୍ସୁକତା ଦେଖିବାକୁ ମିଳୁନି। ଗାଁ ମୁହଁରେ ଆଉ ପୂର୍ବ ଭଳି ତୋଟା ନାହିଁ କି ଯେଉଁଠି ତ‌ୋଟା ରହିଛି ସେଠି ଆଉ ରଜଦୋଳି ଦେଖିବାକୁ ମିଳୁନି। ପୂର୍ବ ପରି ଆଉ କୁଆଁରୀ ମାନଙ୍କ ଗହଳି ଦେଖିବାକୁ ମିଳୁନି। କିନ୍ତୁ କିଛି ଅନୁଷ୍ଠାନ ପକ୍ଷରୁ ଯୁବତୀ ମାନଙ୍କୁ ଏକାଠୀ କରି ରଜ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି। ଅନେକ ଏହାକୁ ସୋସିଆଲ୍‌ ମିଡିଆରେ ସୀମିତ ରଖିଥିବା ଦେଖିବାକୁ ମିଳୁଛି। ବିଶେଷ କରି ଘରେ ଦୋଳି ବାନ୍ଧି କିଛି ଲୋକ ଏହି ଉତ୍ସବ ପାଳନ କରୁଥିବା ବେଳେ ତାକୁ ଦୃଷ୍ଟିରେ ରଖି ପାରମ୍ପରିକ ଦଉଡି ଦୋଳି ବଦଳରେ ବଜାରେ ଏବେ ପ୍ଳାଷ୍ଟିକ ଦଉଡି ଦୋଳିର ଚାହିଦା ବୃଦ୍ଧି ପାଇଛି। ଭଞ୍ଜନଗର ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାସ୍ତାକଡରେ ଏଭଳି ଘରେ ଝୁଲିବା ପାଇଁ ପ୍ଳାଷ୍ଟିକ ଦଉଡିର ଦୋଳି ବିକ୍ରି ବଢିଥିବା ଲକ୍ଷ୍ୟ କରାଯାଇଛି। ବିନା ପରିଶ୍ରମରେ ଏହାକୁ ଅତି ସହଜରେ ଘରେ ଲଗାଯାଇ ପାରୁଥିବାରୁ ଏହାର ବିକ୍ରି ମଧ୍ୟ ବଢିବାରେ ଲାଗିଛି। ପିଲାମାନେ ଝୁଲିବା ପାଇଁ ଅଧିକ ପସନ୍ଦ କରୁଥିବାରୁ ସେମାନଙ୍କ ପାଇଁ ଅନେକ ଅଭିଭାବକ ଏହାକୁ କିଣି ନେଉଥିବା ଦେଖିବାକୁ ମିଳିଛି।