ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସହରରେ ଥିବା ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ନୂଆ କ୍ରୀଡା ପ୍ରତିଭାକୁ ଅନ୍ବେଷଣ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଠାରେ ପ୍ରାୟ ଏକ ମାସ ହେଲା ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ୍ ଶିବିର ଆଜି ଉଦଯାପିତ ହୋଇଛି । ଗତ ମେ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହି ଶିବିରରେ ୮ ବର୍ଷରୁ ୧୬ ବର୍ଷର ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତିଦିନ ଦୁଇ ଓଳା ପ୍ରଶିକ୍ଷକ ବିଶ୍ବ ମୋହନ ଆଚାରୀ ପିଲାଙ୍କୁ ଏନେଇ ତାଲିମ ପ୍ରଦାନ କରିଥିଲେ । ଅନ୍ତିମ ଦିବସରେ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ ସମସ୍ତ ପ୍ରଶିକ୍ଷାର୍ଥିମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉତ୍ତମ କ୍ରୀଡା ପ୍ରଦର୍ଶନ ସହ ଭଲ ପ୍ରଶିକ୍ଷାର୍ଥିଙ୍କୁ ସ୍ବତନ୍ତ୍ର ଭାବେ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉଦଯାପନୀ ଉତ୍ସବରେ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅମୀୟ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଇଂ ଗୋପାଳ ଚନ୍ଦ୍ର ବେହେରା, ସାମ୍ବାଦିକ ବିଶ୍ବମ୍ବର ଜେନା, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ନିଲୁ ବିଷୋୟୀ ଏବଂ ରାଜ୍ୟସ୍ତରୀୟ କ୍ରୀଡାବିତ୍ ମୂରଲୀଧର ପତି ଓ ଗୁପ୍ତେଶ୍ବର ପାତ୍ର ଯୋଗଦେଇ ପ୍ରଶିକ୍ଷାର୍ଥିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ଏଭଳି ଶିବିର ମାଧ୍ୟମରେ ପିଲାମାନେ ପାଠପଢା କ୍ରୀଡା କ୍ଷେତ୍ରରେ ରହିଥିବା ନିଜର ଲୁକାୟିତ ପ୍ରତିଭାକୁ ପ୍ରତିପାଦନ କରିବାରେ ଏକ ସୁଯୋଗ ପାଇଛନ୍ତି । ଫଳରେ ଆଗାମୀ ଦିନରେ ଏହି ଅଞ୍ଚଳରୁ ଅନେକ ପ୍ରତିଭାବାନ୍ ଖେଳାଳି ନିଜର କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ଓ ଜାତୀୟ ସ୍ତରରେ ଏହି ଅଞ୍ଚଳର ଗୌରବ ବଢାଇ ପାରିବେ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଏହାକୁ ସ୍ବେଚ୍ଛାସେବୀ ଅରକ୍ଷିତ ପରିଚ୍ଛା ପରିଚାଳନା କରିଥିଲେ । ଏହି ଶିବିରରେ ବହୁ ସଂଖ୍ୟାରେ ପିଲା ମାନେ ଅଂଶ ଗ୍ରହଣ କରିଥିଲେ ।