ଫିରିଙ୍ଗିଆରେ ପ୍ରହସନ ପାଲଟିଛି ବିଧବା ଭତ୍ତା, ସ୍ୱାମୀଙ୍କ ଦେହାନ୍ତ ହେବାର ଦୁଇବର୍ଷ ପରେ ମଧ୍ୟ ମିଳୁନି ବିଧବା ଭତ୍ତା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଫେଲ ମାରିଛି ସରକାରୀ ଯୋଜନା l ଯାହାର ନଗ୍ନ ଚିତ୍ର ଫିରିଙ୍ଗିଆ ବ୍ଲକର ପାହିରାଜୁ ଗ୍ରାମରେ ଦେଖିବାକୁ ମିଳିଛି l ସରକାର ମଧୁବାବୁ ପେନସନ ଯୋଜନାରେ ଉଭୟ ବୃଦ୍ଧବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ମାସକୁ ମାସ ଭତ୍ତା ଟଙ୍କା ଦେଉଛନ୍ତି । ଗରିବ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଏହି ଯୋଜନାଟି କରାଯାଇଛି । ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଏହି ଯୋଜନା ଫଳପ୍ରଦ ହୋଇପାରୁନଥିବା ଅଭିଯୋଗ ହେଉଛି । ବ୍ଲକର ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଥିବା ନଜିର ଆସୁଛି । ଫିରିଙ୍ଗିଆ ବ୍ଲକ ପାହିରାଜୁ ଗ୍ରାମ ପଂଚାୟତ ଅଧିନସ୍ଥ ଗୋବରନଳା ଗ୍ରାମର ବକିଲି ବିନ୍ଧାଣିଙ୍କ ସ୍ୱାମୀ ମରି ଦୁଇ ବର୍ଷରୁ ଉର୍ଦ୍ଧ ହୋଇଗଲାଣି, ହେଲେ ଏଯାଏ ପ୍ରଶାସନ ତାପାଇଁ ବିଧବା ଭତ୍ତାର ବ୍ୟବସ୍ଥା କରିପାରିନି । ଏପରି ଶବଦାହ ବାବଦକୁ ହରିଶ୍ଚନ୍ଦ୍ର ଯୋଜନାରେ ଯେଉଁ ୨୦୦୦ଟଙ୍କା ଦିଆଯାଏ ତାହାବି ତାକୁ ଦିଆଗଲାନି । ଭତ୍ତା ଖଣ୍ଡିକ ପାଇଁ ସେ ପଂଚାୟତ ବ୍ଲକ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ହେଲେ କିଛି ସୁଫଳ ମିଳିନାହିଁ |। ବକିଲିଙ୍କ ଦୁଇ ପୁଅ ମଧ୍ୟରେ ବଡ଼ପୁଅ ଗାଲୁ ବିନ୍ଧାଣି  ହାତକୁ ଦିହାତ ହୋଇଯିବା ପରେ ସେ ତା ସ୍ତ୍ରୀଙ୍କୁ ଧରି ଅଲଗା ରହୁଛି । ଏପଟେ ବକିଲି ନିଜ ସାନପୁଅକୁ ସାଙ୍ଗରେ ଧରି ବଡ଼ ଦୁଃଖକଷ୍ଟରେ ଦିନ କାଟୁଥିବା ଦେଖିବାକୁ ମିଲିଛି । ପରଘରେ ମୂଲଲାଗି ଦୁଇ ଜଣଙ୍କ ପାଇଁ ଦାନା ଯୋଗାଉଛି ବକିଲି l ଦିନକୁ ଦିନ ଦେହରୁ ବଳ ମଧ୍ୟ କ୍ଷୀଣ ହେବାକୁ ଲାଗିଲାଣି । ଆଜିକାର ବ୍ୟୟ ବହୁଳ ଦୁନିଆରେ ପରିବାର ଚଲେଇବା କଷ୍ଟ ସାଧ୍ୟ । ତେଣୁ ପ୍ରଶାସନ ତୁରନ୍ତ ଏ ବୃଦ୍ଧା ମାକୁ ବିଧବା ଭତ୍ତା ଯୋଗେଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି l