ହିଞ୍ଜିଳିକାଟୁରେ ଅସହ୍ୟ ତାତି: ଯନ୍ତ୍ରଣା ବଢ଼ାଉଛି ଅଘୋଷିତ ବିଦ୍ୟୁତ୍ କାଟ, ବିଦ୍ୟୁତ କାଟ ବନ୍ଦ ନ ହେଲେ ଆନ୍ଦୋଳନର ଚେତାବନୀ କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ …
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍ କାଟ। ଗ୍ରାମାଞ୍ଚଳ ତ ଦୂରର କଥା ହିଞ୍ଜିଳିକାଟୁ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ଗାଏବ ହୋଇଯିବା ସହରବାସୀଙ୍କ ଚିନ୍ତାର କାରଣ ହୋଇଛି । ଯେଉଁ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରାଯିବା କଥା, ସେହି ସମୟରେ ଅଘୋଷିତ ବିଦ୍ୟୁତ୍ କାଟ୍ ଗ୍ରୀଷ୍ମ ଯନ୍ତ୍ରଣାକୁ ଅଧିକ ବଢ଼ାଇ ଦେଉଛି । ଗୋଟିଏପଟେ ପୁରା ଓଡ଼ିଶା ତତଲା କଡାଇରେ ଭାଜି ହେଉଥିବା ବେଳେ ଅନ୍ୟ ପଟେ ଘଡିଘଡିକୁ ବିଜୁଳି କାଟ ଜନସାଧାରଣଙ୍କୁଅତିଷ୍ଠ କରି ଦେଲାଣି । ଏପରିକି ଦିବାରାତ୍ରି ଘନଘନ ପାୱାର କଟ ହେଉଥିବା ବେଳେ ବୁଧବାର ରାତ୍ରିରେ ହିଞ୍ଜିଳିକାଟୁ ସହରରେ ଦୀର୍ଘ ଘଣ୍ଟାରୁ ଅଧିକ ସମୟ ପାୱାର କଟ ଅସ୍ତବ୍ୟସ୍ତ କରିଲାଣି ଜନଜୀବନ । ଦିନବେଳେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ରାତି ହେଲେ ସ୍ଥିତି ସାଙ୍ଘାତିକ। ତା ସାଙ୍ଗକୁ ବାରମ୍ବାର ବିଜୁଳି କାଟ ଯୋଗୁଁ ଦହଗଞ୍ଜ ହୋଇ ଗଲେଣି ସହର ବାସିନ୍ଦା । ଏନେଇ ଟାଟା ପାୱାରକୁ ଅଭିଯୋଗ କଲେ ଜାମ୍ଫର ଛିଣ୍ଡି ଯାଇଛି ୱାର୍କ ଚାଲିଛି ଏଭଳି ଉତ୍ତରମାନ ଉପଭୋକ୍ତାମାନଙ୍କୁ ମିଳୁଛି। ହିଞ୍ଜିଳିକାଟୁରେ ଗତ ୭ ଦିନ ହେବ ତାପମାତ୍ରା ଅଧିକ ରହୁଛି । ଆକାଶରୁ ଅଗ୍ନିବର୍ଷା ହେଲା ଭଳି ଲୋକଙ୍କୁ ଅନୁଭବ ହେଉଛି । ଵୁଧବାର ହିଞ୍ଜିଳିକାଟୁ ର ତାପମାତ୍ରା ୪୨.୭ ଡିଗ୍ରୀ ରହିଥିଲା । ମଧ୍ୟାହ୍ନ ୧୨ଟା ବେଳକୁ ସହର ତତଲା କଡ଼େଇ ପାଲଟିଯାଇଥିଲା । ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଫଳରେ ଅଧିକାଂଶ ରାସ୍ତା ଖାଁ ଖାଁ ରହିଥିଲା । ଏପରି ସମୟରେ ବିଦ୍ୟୁତ୍ କଟିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ସହରବାସୀଙ୍କ କହିବା ଅନୁଯାୟୀ, ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି । ଏପରି ସମୟରେ ବିଦ୍ୟୁତ୍ର ଆବଶ୍ୟକତା ଅଧିକ ବଢ଼ିଯାଉଛି । ହେଲେ ସହରରେ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ୍ କାଟ୍ ସାଙ୍ଗକୁ ଲୋ ଭୋଲଟେଜ୍ ଗ୍ରୀଷ୍ମ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି । ପୂର୍ବରୁ କୌଣସି ସୂଚନା ପ୍ରଦାନ କରା ନ ଯାଇ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ କରାଯାଉଛି । ପ୍ରତିଦିନ ରାତିରେ ଘଣ୍ଟା ଘଣ୍ଟା ପାୱାର କଟ ଅସ୍ତବ୍ୟସ୍ତ ହୋଇପଡିଛି ଜନଜିବନ । ଲୋକମାନେ ଅଭିଯୋଗ କରିବାକୁ ଫୋନ୍ କଲେ ବିଦ୍ୟୁତ୍ କାର୍ଯ୍ୟାଳୟରେ କେହି ଫୋନ୍ ଉଠାଉ ନାହାନ୍ତି । ଥରେ ବିଜୁଳି ଗଲେ କେତେବେଳେ ଆସିବ, ତାହା ଲୋକେ ଜାଣିପାରୁନାହାନ୍ତି । ବିଦ୍ୟୁତ୍ ବିଭାଗର ଏପରି ମନମୁଖୀ କାର୍ଯ୍ୟ ଯୋଗୁ ଗରମ ଓ ଗୁଳୁଗୁଳିରେ ସୁସ୍ଥ ଲୋକମାନେ ମଧ୍ୟ ଅସୁସ୍ଥ ହୋଇପଡ଼ୁଛନ୍ତି । ଏହାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଛି, ଓଭର ଲୋଡ ଯୋଗୁଁ ଜାମ୍ଫର ଛିଣ୍ଡି ଯାଇଛି ଓ ବିଦ୍ୟୁତ୍ ତାର ଲୋଡ୍ ନେଲା ନାହିଁ । ନୂଆ କେବୁଲ ଟଣାଯାଇ ପୁନଃ ସଂଯୋଗ ଦିଆଯାଇଥିଲେ ମଧ୍ୟ ତାହା ଲୋଡ୍ ନେଇ ନ ଥିଲା ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପାଞ୍ଚ ବର୍ଷ ହେଲାଣି ବିଦ୍ୟୁତ୍ ବିତରଣ ଦାୟିତ୍ଵ ନେଲାଣି ଟାଟା ପାୱାର । କାହିଁକି ଖରାଦିନ ପୂର୍ବରୁ ଆଗୁଆ ମେଣ୍ଡନେନ୍ସ କରୁ ନ ଥିଲା ଟାଟା ପାୱାର? ବାର୍ଷିକ ମ୍ୟାଣ୍ଟେନIନ୍ସ ପାଇଁ ବିଜୁଳି କାଟ ହେଉଛି ନାଁ ଉପଭୋକ୍ତା ମାନଙ୍କୁ ଭକୁଆ ବନେଇବ ପାଇଁ ଇଏ ଏକ ଭେଳିକି । ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ତେବେ ଆଗକୁ ଯଦି ପାୱାର କଟକୁ ରୋକା ନ ଯାଏ, ତେବେ ଏକ ବୃହତ୍ତର ଆନ୍ଦୋଳନ ହେବା ନେଇଚେତାଇ ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ।