ହିଞ୍ଜିଳିକାଟୁ ପୌରାଞ୍ଚଳ ୧୬ ନଂ ୱାର୍ଡ ଗାୟତ୍ରୀ ନଗର ତୃତୀୟ ସାରଣୀରେ ପାନୀୟ ଜଳ ଯୋଗାଣ ବ୍ୟାହତ ନେଇ ଅସନ୍ତୋଷ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନାକୁ କ୍ରିୟାନ୍ଵିତ କରିବା ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ୱାଟକୋର ଖାମଖିଆଲ ନୀତି ଯୋଗୁଁ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିର୍ମାଣ ପ୍ରକ୍ରିୟା ପାଇଁ ରାସ୍ତା ଖୋଳି ଛାଡ଼ି ଦେବା ପରେ ଜନୈକ ମହିଳା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଘଟଣା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ । ସେହିପରି ଅନେକ ସ୍ଥାନରେ ଡ୍ରିଙ୍କ ଫ୍ରମ ଟ୍ୟାପ ନିର୍ମାଣ ପ୍ରକ୍ରିୟା ଶେଷ ହେବା ପରେ ରାସ୍ତା ମରାମତି କରାଯାଉନଥିବାରୁ ଅଞ୍ଚଳବାସୀ ନିଜେ ରାସ୍ତା ମରାମତି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାର ଆଉ ଏକ ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ତ୍ରୁଟିପୂର୍ଣ୍ଣ ସଂରଚନା କାରଣରୁ କିଛି କିଛି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟାହତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ୧୬ ନଂ ୱାର୍ଡ ଗାୟତ୍ରୀ ନଗର ତୃତୀୟ ସାରଣୀରେ ଗତ କିଛି ଦିନ ହେଲା ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଥିବା ନେଇ ଅଞ୍ଚଳବାସୀ ଏହାର ପୁନର୍ବହାଲ ପାଇଁ ଦାବୀ କରିଛନ୍ତି । ପାରଦ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ପାନୀୟ ଜଳ ଅଭାବ ଅଞ୍ଚଳବାସୀଙ୍କ ପାଇଁ ଉତ୍କଟ ହୋଇପଡୁଛି । ଆଜି ଏସ୍.ୟୁ.ସି. ଆଇ କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱରେ ଅଞ୍ଚଳବାସୀ ସ୍ଥାନୀୟ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଏନେଇ ଫେରାଦ ହେବା ସହ ଲିଖିତ ଅଭିଯୋଗ ମଧ୍ୟ ପ୍ରଦାନ କରିଛନ୍ତି ।