ଭଞ୍ଜନଗରରେ ଦୁଇ ଦଳର ଶକ୍ତି ପ୍ରଦର୍ଶନ, ବିଶାଳ ବାଇକ ରାଲିରେ ପାଛୋଟି ଆଣିଲେ କର୍ମୀ…..

ଭଞ୍ଜନଗର(ନିଲୁ ବିଷୋୟୀ): ସାଧାରଣ ନିର୍ବାଚନ ପୁର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ବାଇକ୍ ଶୋଭାଯାତ୍ରାରେ ଦଳୀୟ କର୍ମୀ ଗଞ୍ଜାମ-ନୟାଗଡ଼ ସିମାନ୍ତ କରସିଂ ଛକରୁ ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କୁ ଭଞ୍ଜନଗର କୁ ପାଛୋଟି ଆଣି ନିଜ ନିଜର ଦମ୍ ଦେଖାଇଥିଲେ । କରସିଂ ରୁ ଭଞ୍ଜନଗର ଆସିବା ବାଟରେ ବିଭିନ୍ନ ସ୍ଥାନରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଜୟ ଜଗନ୍ନାଥ ଓ ଜୟ ଶ୍ରୀ ରାମ ନାରା ରେ ଉଭୟ ବାଇକ ଯାତ୍ରା ପ୍ରକମ୍ପିତ ହୋଇଥିଲା। ଭିଡ ଏତେ ରହିଥିଲା ଯେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା। ପୁଣି ଥରେ ଭଞ୍ଜନଗର ଦଖଲ ପାଇଁ ବିଜେଡି ସ୍ବତନ୍ତ୍ର ରଣକୌଶଳ ଆପଣାଇଥିବା ବେଳେ ବିଜେଡି ହାତରୁ ଏହି ଆସନକୁ ଛଡାଇ ଆଣିବା ପାଇଁ ବିଜେପି ମଧ୍ୟ ପ୍ରଦ୍ୟୁମ୍ନ ନାୟକ ଙ୍କ ନେତୃତ୍ୱରେ ଗୋଟି ଚଳାଇଛି। ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଦଳ ପୁଣି ଥରେ ଚଳିତ ନିର୍ବାଚନ ପାଇଁ ଟିକେଟ୍ ଦେଇଛି। ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରୁ ଦଳିୟ ଟିକେଟ୍ ନେଇ ପ୍ରଦ୍ୟୁମ୍ନ ଭଞ୍ଜନଗର ଫେରିଛନ୍ତି। ଫେରିବା ବାଟରେ କରସିଂ ଛକ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କୁ ଦଳୀୟ କର୍ମୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଶାଳ ବାଇକ୍ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଉଭୟ ନେତାଙ୍କୁ ପାଛୋଟି ଆଣିଥିଲେ। ତେବେ ଦୁଇ ଦଳର ରାଲି ଫଳରେ ଅପରାହ୍ନ ୫ଟାରୁ ରାତି ପ୍ରାୟ ୯ଟା ଯାଏଁ ଭଞ୍ଜନଗର- ଭୁବନେଶ୍ଵର ରାଜ୍ୟ ରାଜପଥ ଜାମ୍ ହୋଇଯାଇଥିଲା। ଯାନବାହାନ ଚଳାଚଳ ଏକପ୍ରକାର ଠପ ହୋଇପଡିଥିଲା । ରାତିରେ କୁଲାଡ ଠାରେ ଦଳ ପକ୍ଷରୁ ଅନୁଷ୍ଠିତ ବୁଥ୍ ବିଜୟ ଅଭିଯାନରେ ଯୋଗଦେଇ ଭାଜପା ପ୍ରାର୍ଥୀ ଶାସକ ଦଳ ଉପରେ ବର୍ଷିଥିଲେ। ସେହିପରି ୧୯୯୫ରୁ ଲଗାତାର ଛଅ ଥର ଏହି ଆସନରୁ ନିର୍ବାଚିତ ହୋଇଥିବା ବର୍ତମାନର ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଦଳ ପୁଣି ଥରେ ଟିକେଟ୍ ଦେଇଛି । ସପ୍ତମ ଥର ପାଇଁ ସେ ଏଠାରୁ ବିଜୟୀ ହୋଇ ବିରଳ ରେକର୍ଡ କରିବା ଲକ୍ଷ୍ୟରେ ରହିଛନ୍ତି।ତେବେ ଶୁକ୍ରବାର ମଧ୍ୟ ଦଳୀୟ ଟିକେଟ୍ ନେଇ ବିକ୍ରମ ଭଞ୍ଜନଗର ଫେରିଛନ୍ତି । ଆସିବା ବାଟରେ କରସିଂ ଛକ ଠାରୁ ବିଶାଳ ବାଇକ୍ ଶୋଭାଯାତ୍ରାରେ ଦଳୀୟ କର୍ମୀ ବିକ୍ରମଙ୍କୁ ବାଉଁଶଲୁଣ୍ଡି ପଯ୍ୟନ୍ତ ପାଛୋଟି ଆଣିଥିଲେ। ବିଭନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ତେବେ ଉଭୟ ଦଳରେ ଏହି ଶୋଭାଯାତ୍ରାରେ ବିଜେପି ଆଗରେ ରହିଥିବା ଅଂଚଳରେ ଚର୍ଚ୍ଚା ହେଉଛି।