ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଆରମ୍ଭ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ନିର୍ବାଚନୀ ବିଗୁଲ ବାଜିବା ସହ ଦେଶରେ ଗୋଟିଏ ପର୍ଯ୍ୟାୟର ଭୋଗ ଗ୍ରହଣ ପ୍ରକ୍ରିୟା ଶେଷ ହେଲାଣି। ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍ ମଇ ୨୦ରେ ଆସିକା ଲୋକସଭା କ୍ଷେତ୍ରରେ ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବ। ଆଜି ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳ ତା’ର ନିର୍ବାଚନୀ ପ୍ରଚାର ହିଞ୍ଜିଳିରୁ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ, ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିରୁ ବିଜେଡିର ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ବୁଧବାର ହିଞ୍ଜିଳିରୁ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଛନ୍ତି। ବୁଧବାର ସ୍ଥାନୀୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ପଡ଼ିଆରେ ଏକ ବିଶାଳ ଜନ ସମାବେଶକୁ ସେ ସମ୍ବୋଧିତ କରିଥିଲେ। ବିଗତ ବର୍ଷରେ ତାଙ୍କ ନେତୃତ୍ଵାଧୀନ ବିଜେଡି ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ବାସୀଙ୍କ ଠାରୁ ପାଇଥିବା ସ୍ନେହ ପାଇଁ ମୁଁ ସେମାନଙ୍କ ପାଖରେ ଋଣୀ । ହିଞ୍ଜିଳି ଓ ଶେରଗଡ଼ ଦେଶ ପାଇଁ ବିକାଶର ଉଦାହରଣ ପାଲଟିଛି । ମିଶନ ଶକ୍ତି ମା ମାନେ ରୂପାନ୍ତରଣର ମାଧ୍ୟମ ସାଜିଛନ୍ତି।ଓଡ଼ିଶାର ଚାଷୀ, ମିଶନ ଶକ୍ତି ସଦସ୍ୟା ମାନଙ୍କୁ ୦% ସୁଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଋଣ ଯୋଗାଇଦିଆଯାଉଛି। ମହିଳା ସଶକ୍ତିକରଣ ଓ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅଗ୍ରଣୀ। ୫ଟି ମାଧ୍ୟମରେ ବିଦ୍ୟାଳୟ ମାନଙ୍କର ରୂପାନ୍ତରଣ, ମୋ ଡାକ୍ତରଖାନା ଭଳି ଜନ କଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ ଚାଲିଛି। ରାଜ୍ୟର ବିକାଶରେ ଯୁବକ ମାନଙ୍କ ଭୂମିକାକୁ ସୁଦୃଢ କରିବା ପାଇଁ “ଯୁବ ବଜେଟ” ଆସିବା ନେଇ ସେ ଘୋଷଣା କରିଛନ୍ତି। ୨୦୨୪-୨୦୩୪ ଏହି ଦଶ ବର୍ଷ ଓଡ଼ିଶାର ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗରେ ପରିଣତ ହେବ। ନିଯୁକ୍ତି, ଶିଳ୍ପାୟନ ଏବଂ ଦକ୍ଷତା ବିକାଶ ଉପରେ ବିଶେଷ ଦୃଷ୍ଟି ପ୍ରଦାନ କରାଯିବ। ୨୦୩୬ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତ ବାର୍ଷିକୀ ବେଳକୁ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅନୁରୂପ ଭାବରେ ବିରୋଧୀଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ବିରୋଧୀ ମାନେ ଓଡ଼ିଶା ବିକାଶକୁ ବିରୋଧ କରୁଛନ୍ତି। ରାଜ୍ୟବାସୀ ସେମାନଙ୍କ ଅସଲ ସ୍ୱରୂପ ଜାଣିଛନ୍ତି। ବିରୋଧୀ ସବୁବେଳେ ସବୁ କଥାରେ ରାଜନୀତି କରିବା ସହ ଅପପ୍ରଚାର କରୁଛନ୍ତି। ତେବେ ରାଜ୍ୟ ବାସୀଙ୍କ ଉପରେ ଏହାର କୌଣସି ପ୍ରଭାବ ନଥିବା କଥା କହି ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ବିଜେଡିର ବିଜୟଧାରା ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିୟାନ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ବାଇ. ଗୀତାଞ୍ଜଳି, ଏଳା. ସୁଦର୍ଶନ, ପ୍ରୀତି ସାହୁ, ହିଞ୍ଜିଳିକାଟୁ ପୌର ପରିଷଦର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଓଡ଼ିଶା ମୋ ପରିବାରର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଅଜୟ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ଵତୀ ସେଠୀ କାର୍ଯ୍ୟକ୍ରମରେ ସ୍ଵାଗତ ସମ୍ଭାଷଣ ଓ ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ବେହେରା, ସଂସ୍କାର ପଟ୍ଟନାୟକ, ରଞ୍ଜିତ ବାଡ଼ତ୍ୟା ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହୁ ବିଜେଡିର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।