ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜେଡି ନେତା….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ନିର୍ବାଚନ ତାରିଖ ପାଖେଇ ଆସିବା ସହ ବିଭିନ୍ନ ପ୍ରକାରର ରାଜନୈତିକ ଦଳ ମାନଙ୍କର ଗତିବିଧିରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିଦ୍ବନ୍ଦିତା କରିବେ । ଏନେଇ ତୁହାକୁ ତୁହା ହିଞ୍ଜିଳି ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀମାନଙ୍କୁ ନବୀନ ନିବାସ ଡକାଇ ସାକ୍ଷାତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ବ୍ଲକ ଦ୍ଵିତୀୟ ପର୍ଯ୍ୟାୟରେ ଶେରଗଡ଼ ବ୍ଲକ ଅଞ୍ଚଳର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିବା ବେଳେ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳର ନେତା ଓ କର୍ମୀମାନେ ଡାକରା ପାଇ ଭୁବନେଶ୍ବର ସ୍ଥିତ ନବୀନ ନିବାସରେ ପହଞ୍ଚି ସାକ୍ଷାତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଡ଼ିଶା ମୋ ପରିବାରର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସମ୍ପାଦକ ସଂସ୍କାର ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ କାଉନସିଲରଙ୍କ ସମେତ ପୌରାଞ୍ଚଳର ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।