ଭଞ୍ଜନଗର ତାପମାତ୍ରା ୪୧ ଡିଗ୍ରୀ, ଶୁଖି ଗଲାଣି ପ୍ରମୁଖ ଜଳ ଭଣ୍ଡାର…..

ଭଞ୍ଜନଗର(ନିଲୁ ବିଷୋୟୀ) : ଭଞ୍ଜନଗର ଓ ଏହାର ଆଖପାଖ ଇଲାକାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ରୌଦ୍ର ତାପ ସ୍ବାଭାବିକ ଜନଜୀବନ ବିଗାଡ଼ି ଦେବାରେ ଲାଗିଛି। ବିଶେଷ କରି ଦୀର୍ଘ ଦିନ ଧରି ବର୍ଷା ନଥିବାରୁ ପ୍ରମୁଖ ଜଳସ୍ରୋତ ଗୁଡିକ ଶୁଖିବାକୁ ଲାଗିଲାଣି । ନଦୀ ଗୁଡିକ ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇବାକୁ ଲାଗିଲାଣି। ସକାଳୁ ହିଁ ଗରମ ଅନୁଭୂତ ହେଉଥିବା ବେଳେ ଦିନ ବେଳା ତାପମାତ୍ରା ୪୧ ଡିଗ୍ରୀକୁ ଛୁଇଁଲାଣି। ଖରା ପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ନଦୀ ନାଳ ଗୁଡିକର ସ୍ରୋତ ହ୍ରାସ ଯୋଗୁ ସାଧାରଣରେ ତାହା ପ୍ରଭାବ ପକାଇବା ଆରମ୍ଭ କଲାଣି । ବିଶେଷ କରି ରବି ଋତୁରେ ହେଉଥିବା ଚାଷ ପାଇଁ ପାଣିର ଘୋର ଅଭାବ ପରିଲିକ୍ଷିତ ହୋଇଛି । ଭଞ୍ଜନଗର ଜଳସେଚନ ବିଭାଜନ ଅଧୀନରେ ରହିଥିବା ଋଷକୂଲ୍ୟା, ବଡ଼ନଦୀ, ଲୋହରାଖଣ୍ଡି, ପଦ୍ମାନଦୀ, ବାଘୁଆ ନଦୀର ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ନଦୀ ପଠା ଗୁଡିକ ଶୁଖିଲା ପଡିଆ ଭଳି ପ୍ରତୀୟମାନ ହେଉଛି । ଦୈନନ୍ଦିନ ପୋୂଖରୀ ନଦୀ ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ବର୍ତ୍ତମାନ ଦଣ୍ଡଯାତ୍ରାର ମାହୋଲ ଚାଲିଥିବା ବେଳେ ନଦୀରେ ପାଣି ଅଭାବ ଏକ ପ୍ରକାର ସମସ୍ୟା ଭାବେ ଉଭା ହୋଇଛି । ଯାହା ଫଳରେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଥିବାରୁ କୂଅ ଉପରେ ମଧ୍ୟ ଏହାର ପ୍ରଭାବ ପଡିବାରେ ଲାଗିଛି । ଏହାର ପ୍ରଭାବରେ ଜଳ ଭଣ୍ଡାର ସ୍ଥିତି ମଧ୍ୟ ସଙ୍ଗୀନ ହେବାକୁ ଲାଗିଲାଣି। ଖରାଦିନରେ ମଧ୍ୟ ଜଳଭଣ୍ଡାର ଗୁଡିକରେ ଜଳ ଗଚ୍ଛିତ ହୋଇ ରହୁଥିବା ବେଳେ ଚଳିତ ବର୍ଷ ଭଞ୍ଜନଗର ଜଳଭଣ୍ଡାରରେ ୨୫.୮୧ ପ୍ରତିଶତ,ସୋରଡ଼ା ଜଳଭଣ୍ଡାରରେ ୨୯ ପ୍ରତିଶତ, ଡହ ଜଳଭଣ୍ଡାରରେ ୨୨.୫୫ ପ୍ରତିଶତ ଏବଂ ବାଘୁଆ ଜଳଭଣ୍ଡାରରେ ଜଳସ୍ତରର ବହୁ ପରିମାଣର କମିବାରେ ଲାଗିଛି । ଏଠାରେ ବର୍ତ୍ତମାନ ୧୪.୪୫ ପ୍ରତିଶତ ପାଣି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।