ହିଞ୍ଜିଳିକାଟୁ (ସଂସ୍କାର ପଟ୍ଟନାୟକ): ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶା ପକ୍ଷରୁ ୮୯ ତମ ଉତ୍କଳ ଦିବସ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆର.ଏମ୍.ସି ଛକ ଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। “ଆଗାମୀ ଓଡ଼ିଶା” ନାମରେ ଆୟୋଜିତ ପ୍ରଥମ ସତ୍ରରେ ବିଭିନ୍ନ ବର୍ଗର ବିଦ୍ୟାର୍ଥୀ ମାନେ ମଞ୍ଚାସୀନ ରହି “କାଲି ଆଜି ଆଉ ଆସନ୍ତା କାଲିର ଓଡ଼ିଶା” ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ଲିଜାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଦଶମ ଶ୍ରେଣୀର ଛାତ୍ରୀ ସ୍ନେହାରାଣୀ ଗୌଡ଼, ଯୁକ୍ତ ଦୁଇର ଛାତ୍ରୀ ବି. ସୁଦୀପ୍ତା ପାତ୍ର, ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷାର୍ଥୀ ସୁମିତ ପାଣିଗ୍ରାହୀ ଏବଂ ସ୍ନାତକୋତ୍ତର ଛାତ୍ର ରାଜେଶ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେହିପରି ଦ୍ବିତୀୟ ସତ୍ରରେ ସମିତିର ଉପ-ସଭାନେତ୍ରୀ ରୀତାଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ସତ୍ରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ସମ୍ମାନୀତ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଉପେନ୍ଦ୍ର କର ମଞ୍ଚାସୀନ ରହି ଓଡ଼ିଆ ଜାତୀୟ ଜୀବନର ସମୃଦ୍ଧଶାଳୀ ଅତୀତ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ମାନଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି କାର୍ଯ୍ୟକ୍ରମର ତୃତୀୟ ସତ୍ରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଆଇନ ପରାମର୍ଶଦାତା ତଥା ବରିଷ୍ଠ ଅଧିବକ୍ତା ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତୃତୀୟ ସତ୍ରରେ ଅତିଥି ଭାବରେ ଗୋଠଗାଁ ସରପଞ୍ଚ ତଥା ସ୍ତମ୍ଭକାର କୃଷ୍ଣଚନ୍ଦ୍ର ସୁଆଁସିଆ, ଅନୁଷ୍ଠାନର ଉପ-ସଭାପତି ବ୍ରହ୍ମାକୁମାର ନିତ୍ୟାନନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ଆସରକୁ ରାଜୀବ ଲୋଚନ ପାଣିଗ୍ରାହୀ ଏବଂ ଶିଳ୍ପା ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଚିନ୍ମୟ ପୋଲାଇ ମଞ୍ଚ ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ, ପର୍ଶୁରାମ ସାହୁ, ଶିକ୍ଷକ ସନ୍ତୋଷ କୁମାର ବେହେରା, ଅଧିବକ୍ତା ଦ୍ଵିତିକୃଷ୍ଣ ସାବତ, ଉମେଶ ସାହୁ ପ୍ରମୁଖ ସହରର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।