ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଓ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ପୌର ପରିଷଦ କାଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହରରେ ଥିବା ଉତ୍କଳ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସହ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ କର ଏବଂ ଭଞ୍ଜନଗର ଉପଖଣ୍ଡର ସମସ୍ତ ତହସିଲଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ରହି ଓଡ଼ିଶାର ବରପୁତ୍ରମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉତ୍କଳ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଜିବନୀ ଶକ୍ତି l ଏଣୁ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ମମତା ରହିବା ଉଚିତ l ଓଡ଼ିଆ ଭାଷାକୁ ଭୁଲିଗଲେ ନିଜର ପରିଚୟ ଭୁଲିଯିବାକୁ ପଡିବ l ତେଣୁ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାରର ସମୂହ ତତ୍ପରତା ଆବଶ୍ୟକତା ରହିଛି ବୋଲି ଉପଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ସହଯୋଗ କରିଥିଲେ l