ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ୍ ତିଳିସିଙ୍ଗି ସେକ୍ସନ ବେରୁଆଁବାଡି ବିଟ୍ ଚନ୍ଦ୍ରଗିରି ଜଙ୍ଗଲର କମ୍ପାଟମେଣ୍ଟ -୧୧ ରେ ଚିକିତ୍ସା ଅଭାବରୁ ରବିବାର ଏକ ଦନ୍ତା ପ୍ରାଣ ହରାଇଛି । ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସେଠାରେ ପୋତି ଦିଆଯାଇଥିବା ଡିଏଫଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି। ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଦିର୍ଘ ଦିନର ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ହାତୀ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ସକାଳେ ମୃତ ହାତୀ ଟି ବେରୁଆଁବାଡି ଗ୍ରାମ ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରୁ ବାହାରି ଜନବସତି ମୁହାଁ ହୋଇଥିଲା।ନିକଟରେ ଥିବା ଏକ ଜଳାଶୟରେ ପାଣି ପିଇଥିଲା । ଏହା ଦେଖି ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ସହ ତାର ଗତିବିଧି ଉପରେ ନଜର ରଖିଥିଲେ । ହେଲେ ମଧ୍ୟାହ୍ନ ସମୟରେ ହାତୀ ଟି ଚନ୍ଦ୍ରଗିରି ଜଙ୍ଗଲର କମ୍ପାର୍ଟମେଣ୍ଟ-୧୧ ରେ ପଡିଯାଇ ମୃତ୍ୟୁ ବରଣ କରିଥିଲା । ମୃତ ହାତୀଟିର ବୟସ ଆନୁମାନିକ ୩୦ ବର୍ଷରୁ ଅଧିକ ହେବ.। ଖବର ପାଇଁ ସନ୍ଧ୍ୟାରେ ଆର୍ ସିସି ଏଫ ପହଂଚି ଅନୁଧ୍ୟାନ କରିବା ପରେ ସୋମବାର ଭୁବନେଶ୍ୱରରୁ ଆସିଥିବା ଯୁଗ୍ମ ଯାଞ୍ଚ ଦଳର ସଦସ୍ୟ ଏସିଏଫ୍ ଶ୍ରୀରାମ ପଦ ଅରବିନ୍ଦ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପରେ ବନବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଭଞ୍ଜନଗର ବିଭିଓ ନିଶିକାନ୍ତ ବଳ,ପ୍ରାଣୀ ଚିକିତ୍ସକ ଟୁକୁ କୁମାର ସିଠ ଓ ଅବିନାଶ ସାହୁ ମୃତ ଦନ୍ତାର ବ୍ୟବଚ୍ଛେଦ କରିଥିଲେ । ନିକଟରେ ହିଁ ଗାତଖୋଳି ହାତୀର ମୃତଦେହକୁ ପୋତାଯାଇଛି । ଏହି ସମୟରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସମେତ ବନବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ତେବେ ଦନ୍ତା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବନବିଭାଗ ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ ଏହି ହାତୀଟି ଗତ କିଛି ଦିନ ଧରି ସ୍ଥାନୀୟ ଇଲାକାରେ ଘୁରି ବୁଲୁଥିବା ଚର୍ଚ୍ଚା ହେଉଥିବା ବେଳେ କେଉଁ ବନାଞ୍ଚଳରୁ ଏଠାକୁ ଆସିଥିଲା କିମ୍ବା ଅସୁସ୍ଥ ଥିବା ନେଇ ବନବିଭାଗ ପକ୍ଷରୁ ଏହାର ଗତିବିଧି ଉପରେ ନଜର ରଖା ଯାଇନଥିବା ଡିଏଫଓ ହିମାଂଶୁ ଶେଖର ମହାନ୍ତି ସ୍ୱୀକାର କରିଛନ୍ତି । ରବିବାର ଦନ୍ତାଟି ଉକ୍ତ ଅଞ୍ଚଳରେ ଘୁରି ବୁଲୁଥିବା ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନବିଭାଗ ତତ୍ପରତା ଦେଖାଇଥିବା ବେଳେ ସଠିକ୍ ସମୟରେ ହାତୀର ଚିକିତ୍ସା ହୋଇ ନଥିଲା । ବର୍ତ୍ତମାନ ଉତ୍ତର ଘୁମୁସର ବନଖଣ୍ଡ ହାତୀ ମାନଙ୍କ ପାଇଁ ବିପଦ ସାଜିଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ଏହି ବନଖଣ୍ଡ ରେ ବିଭିନ୍ନ କାରଣରୁ ପ୍ରାୟ ୯ ଟି ହାତୀର ମୃତ୍ୟୁ ସହ ହାତୀ ମଣିଷ ଲଢେଇ ଏକାଧିକ ମୃତାହତ ହୋଇଛନ୍ତି । ଏଭଳି ସ୍ଥିତିରେ ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କ କାଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।