୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା, କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ- ମୁଖ୍ୟମନ୍ତ୍ରୀ
ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି I ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ I ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ I
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି I ଚାଷୀ, ଶ୍ରମିକ ଓ ମଜଦୁରମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର (Nucleus) I ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ I କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀ ର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ତା’ର ତ୍ୟାଗକୁ ସମ୍ମାନ କରୁ I ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ M S Swaminathan Committee ର ସୁପାରିସ କୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି ଏବଂ ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ I
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ I ତେଣୁ ଚାଷୀର ସ୍ଵାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି ବୋଲି ସେ ପ୍ରକାଶ କରିଥିଲେ I କାଳିଆ ଯୋଜନା ଯୋଗୁଁ ରାଜ୍ଯର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ,” କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା I”
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି I ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତି କୁ ବଞ୍ଚାଇ ଥିଲା I ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି I ସେଥିପାଇଁ ରାଜ୍ୟ ସରକାର ଚାଷୀ,ଶ୍ରମିକ, ଉଠା ଦୋକାନୀ , ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ କୋଭିଡ ପ୍ଯାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ I
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ I ଏହା ଆମ ସମସ୍ତଙ୍କର ଲଢେଇ I ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇମାନେ ସମସ୍ତେ ଟୀକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ I
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ I କୃଷକମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ I
କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀ ମାନଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା I
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ I ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା କହିଥିଲେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି I ସେହିପରି ସୁନ୍ଦରଗଡର ସୂରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ I ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ I ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ୧୦୦୦ ଟଙ୍କା ଲେଖାଏଁ ସହାୟତା ପାଇ ସବୁ ଭୂମିହୀନ ଚାଷୀ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ।
ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି I କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି I ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି I
ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ I
କୃଷି ବିଭାଗ କମିଶନର ତଥା ସଚିବ ଏସ . କେ . ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ I
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , କୃଷି ଉତ୍ପାଦନ କମିଶନର ଏବଂ ୩୦ ଟି ଜିଲ୍ଲା ର ଭୂମିହୀନ ଚାଷୀ ମାନେ ଭିଡିଓ କାନଫରେନସିଂ ଜରିଆରେ ଯୋଗ ଦେଇଥିଲେ I