ବରିଷ୍ଠ କଳାକାର ଗଣେଶ ସିଂଙ୍କ ପରଲୋକ, ଶତାଧିକ ନାଟକ ରେ କରିଥିଲେ ଅଭିନୟ….

ଅନୁସନ୍ଧାନ ଭାରତ(ବ୍ୟୁର): ମଣିଷ ସମାଜର ବାସ୍ତବ ଜୀବନ କାହାଣୀକୁ ଅଭିନୟରେ ଜୀବନ୍ତ ଭାବେ ଫୁଟାଉଥିବା ଜଣେ କଳାକାର ହେଉଛନ୍ତି ଗଣେସ ସିଂ। ନାଟକକୁ ଜୀବନର ଏକ ଅଙ୍ଗ ସଜାଇ ଅତି ନିକଟରୁ ଅନୁଭବ କରି ଚରିତ୍ର ମାଧ୍ୟମରେ ସର୍ବ ସମ୍ମୁଖରେ ଅତି ନିଖୁଣ ଭାବରେ ଦର୍ଶକଙ୍କ ନିକଟରେ ପ୍ରତିଫଳିତ କରିବାରେ ବେଶ ମାହିର ଥିଲେ ଶ୍ରୀ ସିଂ। ହେଲେ ନାଟକର ଅନ୍ତିମ ଦୃଶ୍ୟ ପରି ତାଙ୍କ ଜୀବନ ଦିପ ଲିଭିଯାଇଛି। ମଞ୍ଚ ଉପରେ ଦିନେ ଯେ ଦର୍ଶକଙ୍କୁ କନ୍ଦାଇବା ସହ ହସାଇ ବେଦମ କରୁଥିଲା ସେ ଆଜି ସବୁଦିନ ପାଇଁ ଆଖି ବୁଜିଦେଇଥିବା କଥାକୁ କେହି ସହଜରରେ ଗ୍ରହଣ କରି ପାରୁନାହାନ୍ତି। ଭଞ୍ଜନଗର ତଥା ଘୁମୁସର ମାଟିର ମଞ୍ଚ ନାଟକର ଜଣେ ବର୍ଷିୟାନ କଳାକାର ଗଣେସ ସିଂଙ୍କ ଶୁକ୍ରବାର ରାତିରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଏଭଳି ଏକ ପ୍ରତିଭାବାନ କଳାକାରଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ମଞ୍ଚ କଳାକାର ସହ ଜଣେ ଛାତ୍ର ନେତା ଭାବେ ମଧ୍ୟ ପରିଚୟ ସୃଷ୍ଟି କରିପାରିଥିଲେ। ୧୯୯୦-୯୧ ମସିହାରେ ଛାତ୍ର ସଂସଦ ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିବା ବେଳେ ସେହି ସମୟରେ ମଣ୍ଡଳ କମିଶନ ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନର ମଧ୍ୟ ପୁରୋଧା ସାଜିଥିଲେ। କଲେଜରେ ପାଠ ପଢିବା ସମୟରେ ଲଗାତାର ୩ ବର୍ଷ ଧରି ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ ହୋଇଥିଲେ। ଜଣେ ହାସ୍ୟ ଅଭିନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିବା ବେଳେ ସେ ତରୁଣ କଳାକାର ସଂସ୍ଥା ସହ ଯୋଡି ହୋଇ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ଶହେରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିଲେ । ସେ ଭୂବନେଶ୍ବରର ରବୀନ୍ଦ୍ର ମଣ୍ଡପ, ରାଉରକେଲାର ସଭିକ୍ ସେଣ୍ଟର, ଖୋର୍ଦ୍ଧାର ନାଟ୍ୟଗ୍ରାମ, ଗଞ୍ଜାମ କଳା ପରିଷଦ, ସୁନାବେଢାର ପ୍ରତିଷ୍ଠିତ ମଞ୍ଚରେ କଳା ପ୍ରଦାର୍ଶନ କରି ପ୍ରଶଂସା ସାଉଁଟିଥିଲେ । ତାଙ୍କର ଦେହାନ୍ତରେ ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ କୁମାର ଶତପଥୀ, ଏକାଡେମୀ ସଦସ୍ୟ ଜଗଦୀଶ ପାଣିଗ୍ରାହୀ, କବି ପ୍ରଶାନ୍ତ ମହାନ୍ତି, ଗୌରୀ ପଟ୍ଟନାୟକ, ବିଷ୍ଣୁ ପଣ୍ଡା, ଉପେନ୍ଦ୍ର ଶତପଥୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେ କେଏସୟୁବି କଲେଜରେ କିରାଣୀ ଭାବେ କାର୍ଯ୍ୟ କରୁଥିବାରୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।