ବ୍ଲକ ନାହିଁ ତ ଭୋଟ ନାହିଁ, ବ୍ରାହ୍ମଣୀଗାଁ ବ୍ଲକ ମାନ୍ୟତା ଦାବୀକୁ ନେଇ ମିଞ୍ଜାପଙ୍କାରେ ପ୍ରତିବାଦ ଶୋଭାଯାତ୍ରା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଦୁର୍ଗମ କଟିଙ୍ଗିଆ ପଞ୍ଚାୟତ ର ମିଞ୍ଜାପଙ୍କା ଗ୍ରାମରେ ବ୍ରାହ୍ମଣୀଗାଁ ବ୍ଲକ ଗଠନ ଦାବୀକୁ ନେଇ ଆଞ୍ଚଳିକ ମହିଳା ସଙ୍ଗଠନ ଓ ଅଞ୍ଚଳ ବାସୀଙ୍କ ମିଳିତ ଉଦ୍ୟମରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଗତ ୪୦ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ସଙ୍ଗଠନ ଜରୀଆରେ ଏହି ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ ହୋଇ ଆସୁ ଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଅଞ୍ଚଳ ବାସୀଙ୍କୁ ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି । ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଟି ପଞ୍ଚାୟତ ଯଥା ବ୍ରାହ୍ମଣୀଗାଁ ସମେତ ସରାମୂଳି, ତାଯୁଙ୍ଗିଆ, ଗଦାପୁର, ହାତୀମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରିଗାଁ ଓ କାଟିଙ୍ଗିଆ ପଞ୍ଚାୟତର ପ୍ରାୟ ୫୦ ହାଜରରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ବଜାର ଉପରେ ନିର୍ଭର କରିଥାନ୍ତି ,କେବଳ ଯେ ବଜାର ଉପରେ ନିର୍ଭର କରି ଥାନ୍ତି l କେବଳ ସେତିକି ନୁହେଁ ସ୍କୁଲ, କଲେଜ, ବ୍ୟାଙ୍କ୍ ସେବା, ମେଡ଼ିକାଲ, ବନାଞ୍ଚଳ, ରାଜସ୍ୱ ସେବା, ଥାନା, ପୋଷ୍ଟ ଅଫିସ୍ , ଗମନା ଗମନ, ଅନଲାଇନ୍ ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଅଞ୍ଚଳର ଜନସାଧାରଣ ବ୍ରାହ୍ମଣୀଗାଁ ଉପରେ ନିର୍ଭର କରିଥାନ୍ତି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଠିକ ସମୟରେ ହିତାଧୀକାରୀ ମାନଙ୍କୁ ପହଞ୍ଚି ପାରେ ନାହିଁ। ମିଞ୍ଜାପଙ୍କା ଠାରୁ ବ୍ଲକ କାର୍ଯ୍ୟାଳୟକୁ ପ୍ରାୟ ୭୦ ରୁ ୭୫କିମି ଦୂର ହେଉ ଥିବା ବେଳେ ଜିଲ୍ଲା ସଦର ମହକୁମା ପ୍ରାୟ ୧୯୦ କିମି ଦୂରରେ ଅବସ୍ଥିତ। ନିରୀହ ଗରୀବ ଜନତା କୌଣସି ଏକ ସରକାରୀ କାର୍ଯ୍ୟ ପାଇଁ ବ୍ଲକକୁ ଗଲେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଶାରିରୀକ ମାନସିକ ଓ ଅର୍ଥିକ ପୀଡ଼ା ସହ୍ୟ କରି କାର୍ଯ୍ୟ ସଫଳ ନ ହେଲେ ନିରାଶ ହୋଇ ଫେରିବାକୁ ପଡୁଛି l ଏଣୁ ଆଞ୍ଚଳିକ ବ୍ଲକ ଗଠନ କମିଟି ଜରିଆରେ ଭିନ୍ନ ଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । କିନ୍ତୁ ଆଜ ସୁଦ୍ଧା ବ୍ଲକ ଗଠନ ପ୍ରସ୍ତାବକୁ ସରକାର ଗୁରୁତ୍ବ ଦେଇ ନାହାଁନ୍ତି l ଏହା ଅଞ୍ଚଳ ବାସୀଙ୍କ ମନରେ  କୋଠାର ଘାତ ଦେଇଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ପ୍ରତିଶୃତିରେ ପୋତି ପକାଉ ଛନ୍ତି l କିନ୍ତୁ ନିର୍ବାଚନ ସରିଗଲେ ସମସ୍ତଙ୍କ ପ୍ରତିଶୃତି ପାଣିର ଗାର ଭଳି ଲିଭି ଯାଉଛି l ଏଣୁ ବ୍ରାହ୍ମଣୀଗାଁ ବ୍ଲକ ମାନ୍ୟତା ପ୍ରଦାନ କରା ନ ଗଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ଆଗମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।