ଲିଟର ପିଛା ୫ଟଙ୍କା କମ୍ ଦରରେ ଡିଜେଲ ଯୋଗାଇ ଦେବା ନେଇ ପ୍ରଲୋଭନ ଦେଖାଇ ଠକି ନେଲେ ୪୮ ହଜାର ଟଙ୍କା, ହିଞ୍ଜିଳିକାଟୁ ଥାନାରେ ଏତାଲା…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକରେ ଥିବା ଏକ ପେଟ୍ରୋଲ ପମ୍ପରୁ ବଜାର ଦର ଠାରୁ ଲିଟର ପିଛା ୫ଟଙ୍କା କମ୍ ମୂଲ୍ୟରେ ଡିଜେଲ ଯୋଗାଇ ଦେବା ପ୍ରଲୋଭନ ଦେଖାଇ ୪୮ ହଜାର ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଠକାମୀର ଶିକାର ହୋଇଛନ୍ତି ପୁରୁଷୋତ୍ତମପୁର ଥାନା ଭାଟକୁମରଡା ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ସାହୁ । ଅଭିଯୋଗ ପରେ ହିଞ୍ଜିଳି ଥାନାରେ କେସ ନଂ – ୧୯୦/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଗତ ୨୬ ତାରିଖରେ ପୁରୁଷୋତ୍ତମପୁର ଥାନା ଭାଟକୁମରଡା ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ସାହୁଙ୍କ ମୋବାଇଲ ଫୋନକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ।‌ ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ପୁର୍ଣ୍ଣଙ୍କୁ ହିଞ୍ଜିଳିକାଟୁ ନିକଟସ୍ଥ ସାରୁ ଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ବଜାର ଦର ଠାରୁ ୫ଟଙ୍କା କମ୍ ମୂଲ୍ୟରେ ଡିଜେଲ ଯୋଗାଇ ଦେବା ପାଇଁ କହିଥିଲେ ।‌ ସେଥିରେ ବିଶ୍ବାସ କରି ପୁର୍ଣ୍ଣ ଏକ ପିକଅପ ଭ୍ୟାନ (ଓଡି୦୭ଏପି ୬୬୪୧)ରେ କିଛି ଜାର୍କିନ ବୋଝେଇ କରି ସାରୁ ନିକଟସ୍ଥ ଉକ୍ତ ପେଟ୍ରୋଲ ପମ୍ପରେ ଗାଡି ଲଗାଇଥିଲେ । ପରେ ବୋଝେଇ କରିଥିବା ଜାରକିନରେ ପେଟ୍ରୋଲ ପମ୍ପରୁ ୫୫୦ ଲିଟର ଡିଜେଲ ଭର୍ତ୍ତି କରିଥିଲେ ।‌ ପୁର୍ଣ୍ଣ ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ସହ ଯୋଗାଯୋଗ କରି ଗୁଗୁଲ ପେ ଆପ ଦ୍ବାରା ୪୮ ହଜାର ଟଙ୍କା ପଠାଇଥିଲେ । ସେଠାରୁ ଡିଜେଲ ବୋଝେଇ କରି ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ପେଟ୍ରୋଲ ପମ୍ପ ମ୍ୟାନେଜର ଡିଜେଲ ବାବଦକୁ ୫୨ ହଜାର ୮ ଶହ ଟଙ୍କା ମାଗିଥିଲେ। ଘଟଣା ସମ୍ପର୍କରେ ପୁର୍ଣ୍ଣ, ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ କହିଥିଲେ ।‌ କିନ୍ତୁ ଏଭଳି କୌଣସି ବ୍ୟକ୍ତିଙ୍କୁ ଜାଣି ନାହାନ୍ତି କିମ୍ବା ଅର୍ଥ ଦେଣନେଣ ହୋଇନାହିଁ ବୋଲି ମ୍ୟାନେଜର ପୂର୍ଣ୍ଣଚନ୍ଦ୍ରଙ୍କୁ କହିଥିଲେ । ପୂର୍ଣ୍ଣ ୫୨ ହଜାର ୮ ଶହ ଟଙ୍କା ଡ଼ିଜେଲ ବାବଦକୁ ପୈଠ କରିଥିଲେ । ଠକାମୀର ଶୀକାର ହୋଇଥିବା ଜାଣିପାରି ଘଟଣା ନେଇ ପୁର୍ଣ୍ଣ ୨୮ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।‌ ପୁଲିସ ଘଟଣା ନେଇ ଖୋଳତାଡ଼ ଚଳାଇଛି ।