ଭଞ୍ଜନଗରରୁ ପୋୖରପାଳିକା ବାଦ ପ୍ରସଙ୍ଗ, ଷଡଯନ୍ତ୍ର କରି ଦିଆଯାଇଛି ବାଦ – ସୁରେନ୍ଦ୍ର

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଏନଏସି କୁ ପୌରପାଳିକା ନ କରାଇ ଦେବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଷଡଯନ୍ତ୍ର କରିଥିବା ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଗେଟ ସାମ୍ନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମର ଭଞ୍ଜନଗର, ଆସ୍କା ଓ ଛତ୍ରପୁରକୁ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ନଂ ୯୯୩୯/୨୦୧୯ ହୋଇଥିଲା । ମାନ୍ୟବର ହାଇକୋର୍ଟ ୫ ଅଗଷ୍ଟ ୨୦୧୯ରେ ଛଅ ସପ୍ତାହ ମଧ୍ୟରେ ତିନି ଏନଏସିକୁ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ନିର୍ଧାରିତ ସମୟ ମଧ୍ୟରେ ସରକାର ଘୋଷଣା କରି ନଥିଲେ । ପରେ ଆଦେଶ ଅବମାନନା ମାମଲାରେ ୮୩/୨୦ରେ ରୁଜୁ ହୋଇଥିଲା । ଏହା ପରେ ତତ୍କାଳୀନ ଜିଲ୍ଲାପାଳ ତିନି ଗୋଟି ଏନଏସି ନିକଟରେ ଗଢି ଉଠିଥିବା ନୂତନ ସହରାଞ୍ଚଳକୁ ମିଶ୍ରଣ କରି ନିୟମ ଅନୁସାରେ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ରିପୋର୍ଟ ପଠାଇ ଥିଲେ । ଭାରତୀୟ ବିକାଶ ପରିଷଦକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆ ଯାଇଥିବା ରିପୋର୍ଟ ପ୍ରକାରେ, ଭଞ୍ଜନଗର କାଯ୍ୟ ନିର୍ବାହୀ ଅଧିକାରୀ ୦୧/୦୧/୨୦ରେ ଜଣାଇଥିଲେ ଯେ ଲାଲସିଂ ଗ୍ରାମ ପଂଚାୟତ ପୌରପାଳିକାରେ ମିଶ୍ରଣ ପାଇଁ ଆଗ୍ରହୀ ନାହିଁ । କିନ୍ତୁ ବିକାଶ ପରିଷଦ ବାଉଁଶଲୁଣ୍ଡି ଗ୍ରାମକୁ ଏନଏସି ସହ ମିଶ୍ରଣ କରି ପୌରପାଳିକା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଲାଲସିଂକୁ କିପରି ପ୍ରସ୍ତାବ ମଗାଯାଇଥିଲା ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି । ଏ ନେଇ ସେ ସ୍ଥାନୀୟ ବିଧାୟକ ଙ୍କ ଷଡଯନ୍ତ୍ର ଯୋଗୁ ଭଞ୍ଜନଗରକୁ ପୌରପାଳିକା ମାନ୍ୟତାରୁ ବଞ୍ଚିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କରିଛନ୍ତି । ଭଞ୍ଜନଗର ବାସୀଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟ ନିମନ୍ତେ ଓ ଅଞ୍ଚଳବାସୀଙ୍କ ସାମୁହିକ ସ୍ୱାର୍ଥ ପାଇଁ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ଦ୍ୱିତୀୟ କୋର୍ଟ ଅବମାନନା ମାମଲା ହାଇକୋର୍ଟରେ ରୁଜୁ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଅପରପକ୍ଷରେ ନାଗରିକ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ୬ ଦିନରେ ପହଞ୍ଚି । ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼, ଖରାଶୁ ଶେଖର ଦାସ, ରବି ଦାସ, ସଂନ୍ତୋଷ ତିଆଡ଼ି, ମୁରଲୀଧର ପଣ୍ଡା, ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଭଞ୍ଜ କିଶୋର ପ୍ରଧାନ, ନଚିକେତା ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର, ରଞ୍ଜିତ ଜେନା, ଉଦୟ ପଣ୍ଡାଙ୍କ ସମେତ ବହୁ ଜନସାଧାରଣ ଶନିବାର ଧାରଣାରେ ସାମିଲ ହୋଇଥିଲେ । ଏ ନେଇ କମିଟିର ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ଦିନରେ ଭଞ୍ଜନଗର ବନ୍ଦ ଡାକରା ଦିଆଯିବା ନେଇ ସୂଚନା ମିଳିଛି ।