ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଏନଏସିକୁ ସମସ୍ତ ଯୋଗ୍ୟତା ସତ୍ତ୍ବେ ରାଜ୍ୟ ସରକାର ପୌରପାଳିକା ଘୋଷଣା କରି ନାହାନ୍ତି । ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଭଞ୍ଜନଗରକୁ କାହିଁକି ଏଥିରୁ ବାଦ ଦିଆଯାଇଛି । ମାନ୍ୟତା ପାଇଁ ବାରମ୍ବାର ଦାବି ଉପସ୍ଥାପିତ ହୋଇଆସୁଥିଲା । କିନ୍ତୁ ସହରବାସୀଙ୍କୁ ନିରାଶ ହେବାକୁ ପଡିଛି। ଏନେଇ ପୁନର୍ବାର ବିଚାର କରାନଗଲେ ବିଜେପି ଜନ ଆନ୍ଦୋଳନ ଚେତାବନୀ ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ କରାଯାଇଛି । ଏଥି ସହିତ ସୋମବାର ଠାରୁ ଦୀର୍ଘ ୫ ଦିନଧରି ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଓକିଲ ସଂଘର ଆହ୍ୱାନ କ୍ରମେ ନାଗରିକ କମିଟି ପକ୍ଷରୁ ଗଣଧାରଣା ଦିଆଯାଉଛି । ତୁରନ୍ତ ରାଜ୍ୟ ସରକାର ଭଞ୍ଜନଗରକୁ ପୌରପାଳିକା ଘୋଷଣା କରିବାକୁ କମିଟି ଦାବି କରିଛି। ୧୯୫୭ ମସିହାରେ ଗଠିତ ଭଞ୍ଜନଗର ଏନ୍ଏସିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହା ଜିଲ୍ଲାର ଅନ୍ୟତମ ଉପଖଣ୍ଡ ଓ ବିଧାନସଭା ନିର୍ବାଚନମଣ୍ଡଳୀ । ଗତ କିଛି ବର୍ଷ ମଧ୍ୟରେ ସହରର ପରିସୀମା ବଢ଼ିବା ସହ ନୂଆ ଜନବସତି ଗଢ଼ି ଉଠିଛି। ଏହାସହ ଅନେକ ବ୍ୟାବସାୟିକ ସଂସ୍ଥା ଗଢି ଉଠିଛି। ସମସ୍ତ ଯୋଗ୍ୟତା ଥିବା ଏହି ସ୍ଥାନକୁ ପୌରପାଳିକା ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ରଜତ ଦାସ, ସମ୍ପାଦକ ହରେକୃଷ୍ଣ ମହାପାତ୍ର, ବରିଷ୍ଠ ଆଇନଜୀବୀ ରବି ଦାସ, ସନ୍ତୋଷ ତିଆଡ଼ି, ଖରାଂଶୁ ଶେଖର ଦାସ, ସନ୍ତୋଷ ନାୟକ, ମୁରଲୀଧର ପଣ୍ଡା, ରବୀନ୍ଦ୍ର କୁମାର ଗୌଡ଼, ନଚିକେତା ପ୍ରଧାନ,ନିଲୁ ବିଷୋୟୀ, ଜୟକୃଷ୍ଣ ପଟ୍ଟନାୟକ,ମନୋଜ ମିଶ୍ର,ଗୋବିନ୍ଦ ଚନ୍ଦ୍ର ଗୌଡ଼, ଉଦୟ ପଣ୍ଡା, ରଞ୍ଜିତ ଜେନାଙ୍କ ସମେତ ଅଞ୍ଚଳବାସୀ ଧାରଣା ରେ ସାମିଲ ହୋଇଥିଲେ । ସରକାର ପୌରପାଳିକା ମାନ୍ୟତା ନ ଦେବା ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ପରିସରରେ ଏହି ଗଣଧାରଣା ଜାରି ରହିବ ବୋଲି କମିଟି ଚେତାବନୀ ଦେଇଛି ।