ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ସହର ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ମାନ୍ୟତା ପାଇବା ସହ ୨୦୧୮ ମସିହାରେ ସ୍ଥାନୀୟ ସହରକୁ ପୌରପରିଷଦର ମାନ୍ୟତା ମିଳିଥିଲା । ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହୋଇଥିବା ହିଞ୍ଜିଳିକାଟୁ ସହରରେ ଏଯାବତ୍ ଆବଶ୍ୟକ ଟ୍ରାଫିକ ପୁଲିସ ମୃତୟନ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ବେଳେ ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଦୂର୍ଘଟଣା ମାନ ଘଟୁଥିବାର ନଜିର ରହିଛି । ଅନ୍ୟପଟେ ବିଶେଷ କରି ଯୁବପିଢି ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବାରୁ ସମସ୍ୟାକୁ ଦ୍ୱିଗୁଣିତ କରିଛି । ବିଶେଷ କରି ସହରରେ ବସବାସ କରୁଥିବା କଲେଜ ପାଠୁଆ ପିଲା, ଯୁବଗୋଷ୍ଠୀ, ନାବାଳକ ଛାତ୍ର ଛାତ୍ରୀ ଖୋଲାଖୋଲି ଟ୍ରାଫିକ ନିୟମ ଉଲଂଘନ କରୁଥିବା ଅଭିଯୋଗ ହେଉଛି । ବେସରକାରୀ ଭାବେ ଏକ ସର୍ଭେରୁ ଜଣାପଡ଼ିଛି ଯେ, ହିଞ୍ଜିଳିକାଟୁ ଅଞ୍ଚଳରେ ଚଳାଚଳ କରୁଥିବା ଦୁଇ ଚକିଆ ମୋଟର ସାଇକେଲ ମଧ୍ୟରୁ ପ୍ରାୟ ୩୦ ରୁ ୩୫ ପ୍ରତିଶତ ମୋଟେର ସାଇକେଲ ନାବାଳକ ଛାତ୍ରଛାତ୍ରୀ ଓ କଲେଜ ପଢୁଆ ଶିକ୍ଷାର୍ଥୀମାନେ ଚଲାଉଥିବାର ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରାଫିକ ନିୟମ ଶତପ୍ରତିଶତ ଉଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଯୁବପିଢି ଏନଫିଲ୍ଡ ବୁଲେଟ ଚାଳନା କରିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ବଜାରରେ ମଧ୍ୟ ଅଧିକାଂଶ ଯୁବପିଢି ବୁଲେଟ ମୋଟର ସାଇକେଲ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ଯୁବପିଢି ଚାଳନା କରୁଥିବା ବୁଲେଟ ମୋଟର ସାଇକେଲର ସାଇଲେନ୍ସରକୁ ବଦଳାଇ ଅଧିକ ବିକଟାଳ ଶବ୍ଦ ହେଉଥିବା ସାଇଲେନ୍ସର ବ୍ୟବହାର କରୁଥିବା ଯୋଗୁଁ ସହରରେ ଶବ୍ଦ ପ୍ରଦ୍ୟୁଷଣ ବଢିବାରେ ଲାଗିଛି । ପ୍ରକାଶ ଥାଉକି, ଗତ ୨୦୦୭ ମସିହାରେ ହିଞ୍ଜିଳିକାଟୁ ସହରରେ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୧୦ ମସିହାରେ ସ୍ଥାନୀୟ ସହରରେ କାର୍ଯ୍ୟରତ ୨ଜଣ କନେଷ୍ଟବଳ ମଧ୍ୟରୁ ଜଣେ ପଦୋନ୍ନତି ପାଇ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ ଗତ ୨୦୧୨ ମସିହାରେ ଅନ୍ୟ ଜଣଙ୍କୁ ପ୍ରତ୍ୟାହାର କରାଯାଇଥିଲା । ସହରରେ ଦିନକୁ ଦିନ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଦୀର୍ଘ ୧୧ ବର୍ଷ ଧରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଗତବର୍ଷ ମାତ୍ର ଜଣେ ଟ୍ରାଫିକ ପୁଲିସଙ୍କୁ ନିଯୁକ୍ତି କରାଯାଇଛି, ଯାହାକି ଏତେବଡ ପୌରାଞ୍ଚଳରେ ଗୁରୁତର ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଜଣେ ଟ୍ରାଫିକ ପୁଲିସ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡୁଛି। ଦିନକୁ ଦିନ ସ୍ଥାନୀୟ ସହରାଞ୍ଚଳରେ ଗାଡି ମୋଟର ସଂଖ୍ୟା ହୁ ହୁ ବଢି ଚାଲିଥିବା ବେଳେ ଆବଶ୍ୟକ ଅନୁଯାୟୀ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୂୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳରେ ତୁରନ୍ତ ଟ୍ରାଫିକ ପୋଷ୍ଟ ନିର୍ମାଣ କରିବା ସହ ଆବଶ୍ୟକ ଟ୍ରାଫିକ ପୋଲିସ ନିଯୁକ୍ତି କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଗାଡି ଚାଳନା ପ୍ରମାଣପତ୍ର ନଥାଇ ଗାଡି ଚାଳନା କରୁଥିବା ଗାଡି ଚାଳକମାନଙ୍କୁ ଧରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି ।