ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ବିକାଶର ବହୁ ଦୂରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ I ଯାହାକି ବିକାଶର ଏକ ନଗ୍ନ ରୂପ ଦାରିଙ୍ଗବାଡ଼ି ଓ କୋଟଗଡ଼ ବ୍ଲକରେ ଦେଖିବାକୁ ମିଳୁଛି I ଦୀର୍ଘ ଦିନ ହେବ ଏହି ଅଞ୍ଚଳକୁ ସଂଯୋଗ କରିଥିବା ମାଟି ରାସ୍ତା ମରାମତି କାର୍ଯ୍ୟ ହୋଇନାହିଁ I ଏଥି ଯୋଗୁଁ ୧୪ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି କଦର୍ଯ୍ୟ ରାସ୍ତାରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ I 

ବୋଧେ ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ନିର୍ମାଣ ପରେ ନିଜ ମାନଚିତ୍ରରୁ ଏହାକୁ ହଟାଇ ଦେଲେ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏହି ଅଞ୍ଚଳର ୧୪ ରୁ ଉର୍ଦ୍ଧ୍ବ ଗ୍ରାମ କାକମାହା, ଗୁଡ଼ୁଡ଼ି, କୁଲେଚି, କାମ୍ବା, କାତାଡି, ହଜଗାଁ, ପୀଡୁଡିମିଲା, ଜାରିଗିଗୁଡା, କାତୁଶି, ସୀତାଗୁଡା, ଗଞ୍ଜୁଗୁଡା, ଲାଞ୍ଜମୀ, ନୂଆ ବରିକିଆ, ବୋରିକିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ସମ୍ପର୍କରେ ସମ୍ପର୍କେ ନା ଜାଣିବାର ଅଛି ଜିଲ୍ଲା ପ୍ରଶାସନକୁ ନା ବିଭାଗୀୟ କର୍ତ୍ତୃପକ୍ଷ I ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତର ୧୧ନଂ ୱାର୍ଡର ବୋରିକିଆ ଗ୍ରାମରେ I ମୁଖ୍ୟ ରାସ୍ତା ଠାରୁ ଦାରିଙ୍ଗବାଡି ବ୍ଲକ ର ବୁଡ଼ାଗୁଡା ରାସ୍ତାର ଅବସ୍ଥା ନ କହିବା ଭଲ I ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି I ଏହି ରାସ୍ତା ମରାମତି ସମ୍ପର୍କରେ ୧୪ଟି ଗ୍ରାମର ଗ୍ରାମବାସୀ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସମେତ ବାଲିଗୁଡା ଓ ଘୁ.ଉଦୟଗିରି ବିଧାୟକ ତଥା ବାଲିଗୁଡା ଉପଜିଲ୍ଲାପାଳ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରେ ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବା ସହ ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି I ଏଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I