ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ତରିୟ ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ତୃଣମୂଳ ସ୍ତରରେ ଯୁବ ଓ ଛାତ୍ରମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ଅନ୍ୱେଷଣ ସକାଶେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନୂଆ-ଓ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଛି । ଗତ ୨୧ ଡିସେମ୍ବର ଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ତରରେ ଆରମ୍ଭ ହୋଇଥିବା ନୂଆ-ଓ କ୍ରୀଡା ଉତ୍ସବ ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ଏହାର ଉଦଯାପନ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରିଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ସ୍ଥାନୀୟ ତହସିଲଦାର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଶା ମୋ ପରିବାରର ସମ୍ପାଦକ ନୀଳମଣି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ପାଞ୍ଚଟି କ୍ରୀଡା ସ୍ପର୍ଦ୍ଧା ଯଥା କବାଡି, ଖୋ-ଖୋ, କ୍ରିକେଟ, ଫୁଟବଲ ଏବଂ ଭଲିବଲ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ସଂପୃକ୍ତ ଗୋଷ୍ଠୀକୁ ପୁରସ୍କାର ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଅରୁଣ କୁମାର ସାମନ୍ତ, ପ୍ରମୁଖଙ୍କ ସମେତ ବହୁ କାଉନସିଲର, କ୍ରୀଡା ପ୍ରେମୀ ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ ।