ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ପୌର ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ ଧୂସର ଜଳ ପରିଚାଳନା ନେଇ ଏକ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହାର ସଫଳ କ୍ରିୟାନ୍ଵୟନ ଏବଂ ସକାରାତ୍ମକ ଫଳାଫଳ ମିଳିବା ପରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଏହାର କ୍ରିୟାନ୍ଵୟନ ନିମନ୍ତେ ରାଜ୍ୟର ବିଭିନ୍ନ ସହରାଞ୍ଚଳର ସଂପୃକ୍ତ ଅଧିକାରୀ ଏବଂ ଯନ୍ତ୍ରୀମାନଙ୍କ ନିମନ୍ତେ ଏହି ଦୁଇ ଦିନିଆ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ବଲାଙ୍ଗୀର ପୌର ପରିଷଦ, କଣ୍ଟାବାଞ୍ଜି ଏନଏସି, ଆସିକା ଏନଏସି, ବ୍ରହ୍ମପୁର ମହାନଗର ନିଗମ, ଭଞ୍ଜନଗର, ଦିଗପହଣ୍ଡି, ଗଞ୍ଜାମ, ଗୋପାଳପୁର, କବିସୂର୍ଯ୍ୟନଗର ଏବଂ ପୁରୁଷୋତ୍ତମପୁର ଏନଏସିର ଯନ୍ତ୍ରୀ ଏବଂ ଟୁଲିପ ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥିବା ବେଳେ ଦ୍ଵିତୀୟ ଦିନ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ଏନଏସି, ଫୁଲବାଣୀ ପୌର ପରିଷଦ, ଭବାନୀପାଟଣା ପୌର ପରିଷଦ, ଜୁନାଗଡ଼ ଏନଏସି, ଜୟପୁର ପୌର ପରିଷଦ, କୋଟପାଡ ଏନଏସି, ମାଲକାନାଗିରି ପୌର ପରିଷଦ, ରାୟଗଡ଼ା ପୌର ପରିଷଦ, ବାଲିମେଳା ଏବଂ ଗୁଡ଼ାରୀ ଏନଏସିର ଟୁଲିପ ପ୍ରଶିକ୍ଷାର୍ଥୀ ଏବଂ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ । ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ ଏବଂ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଜଳ ଯୋଗାଣ ଏବଂ ଜଳ ନିଷ୍କାସନ ବୋର୍ଡର ପ୍ରକଳ୍ପ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଏବଂ ପୌର ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ପରିଚାଳନା କରିଥିଲେ ।