ଗୁଣପୁର ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ …

<span;>ଅନୁସନ୍ଧାନ ଭାରତ(ବ୍ୟୁର ): ଗୁଣପୁର ମହାବିଦ୍ୟାଳୟ ଦ୍ଵାରା ଆୟୋଜିତ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ । ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଛାତ୍ର ଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଓଡ଼ିଶା ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ,ଏହା ଦ୍ଵାରା ଯୁବ ଶକ୍ତିର ବିକାଶ ସହ ଏକ ଭଲ ମଣିଷ ହେବା ପାଇଁ ପ୍ରେରଣ ଯୋଗେଇ ଦେଇ ପାରିବ। ସେହିପରି ସମ୍ମାନିତ ଅତିଥି ଭାବେ ଗୁଣପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଲଳିତ କୁମାର କହଁର ଯୋଗ ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସାମାଜିକ ସେବା ମନୋଭାବ ନେଇ ନିଜର ଦକ୍ଷତା ପ୍ରତିପାଦନ କରିବାପାଇଁ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ନିଜର ବାକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ କିପରି ସମ୍ଭବ ହେବ ସେ ଉପରେ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ନୂତନ ଅଭିନବ ଯୋଜନାକୁ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି ଭୂୟସୀ ପ୍ରଶଂସା  କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିପରି ପ୍ରଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଏ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡକ୍ଟର ସତ୍ୟବାନ ଗରଡ଼ା ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଗତ ତା.୧୩/୧୨/୨୦୨୩ ରିଖ ରୁ ଆରମ୍ଭ କରି ତା.୨୨/୧୨/୨୦୨୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନୋଟି ବିଭାଗ ରହିଥିଲା, ଯଥା- ସାମାଜିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା କାର୍ଯ୍ୟକ୍ରମ l ଏହି ସବୁ କାର୍ଯ୍ୟକ୍ରମରେ ପ୍ରାୟ ୧୧୦୦ରୁ ଅଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରୀ ମହିମା ପଣ୍ଡା ଓ ଛାତ୍ର ମନୋଜ କୁମାର ଦୋରା ଏହି କାର୍ଯ୍ୟକ୍ରମରେ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ। ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ବିଭାଗରେ ଅଂଶଗ୍ରଣକାରୀଙ୍କୁ ପ୍ରଶଂସାପତ୍ର ଓ ସ୍ଵେଚ୍ଛାକୃତ ରକ୍ତଦାନ କରିଥିବା ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ୍ ପ୍ରଦାନ କରାଯାଇଥିଲା । ସେହିପରି କ୍ରୀଡ଼ା ବିଭାଗରେ ସର୍ବାଧିକ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଶେଖର ପାତିକା ଓ ଛାତ୍ରୀ ତନ୍ମୟୀ ଶବରଙ୍କୁ ଚମ୍ପିୟାନ ଘୋଷଣା କରି ପୁରସ୍କୃତ କରାଯାଇଥିଲା । ଏହା ସହିତ ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର  ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କ ସମେତ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟାମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ନୂଆ-ଓ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ହେତୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।