ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଂବାଡ଼ି ବ୍ଲକ ସ୍ଥିତ ବ୍ରାହ୍ମଣୀଗାଁର ସର୍ବ ପୁରାତନ ଓ ବୃହତ୍ କାଥଲିକ୍ ଗିର୍ଜା ଠାରେ ଖ୍ରୀଷ୍ଟ ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଧର୍ମାଞ୍ଚଳ ଯାଜକ ରେଭ୍ ବିମଳ ନାୟକ ପୌରହିତ କରିଥିଲେ । ଅନ୍ୟାନ୍ୟ ଦୁଇ ଜଣ ସହଯୋଗୀ ଯାଜକ ରେଭ୍ କପିଳାସ ନାୟକ ଓ ରେଭ୍ ରଶ୍ମୀରଞ୍ଜନ ବଳିଆରସିଂ ବିଶେଷ ଭୂମିକା ନିର୍ବାହ କରିଥିଲେ ।
ରେଭ୍ ବିମଳ ନାୟକ ତାଙ୍କ ଅଭିଭାଷଣରେ ଆନନ୍ଦର ସହିତ ଶିଶୁ ଯୀଶୁଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ସେ ଯେ ଜଗତର ଉଦ୍ଧାର କର୍ତ୍ତା ଓ ପରମ ପିତାଙ୍କ ପ୍ରେମ, ଶାନ୍ତି ଓ ପୂନର ମିଳନର ସନ୍ଦେଶ ଘୋଷଣା କରି ଥିଲେ । ଏହା ସହ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ତାଙ୍କ ଶିକ୍ଷା ଅନୁସାରେ ପରସ୍ପର ପ୍ରେମ, ମିଳନ ଓ ଶାନ୍ତିରେ ଏକତ୍ର ବସବାସ କରି ଇଶ୍ୱରଙ୍କ ସହିତ ପୂନର ମିଳିତ ହେବା ପାଇଁ ପ୍ରସ୍ତୁତି ହେବାକୁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ ହୋଲି କ୍ରସ୍ ସଂସ୍ଥାର ସେବା ଭଗ୍ନୀମାନେ ସାଜସଜ୍ଜା ତଥା ଅନ୍ୟାନ୍ୟ କାର୍ଯ୍ୟରେ ବିଶେଷ ସହଯୋଗ ପ୍ରଦାନ କରିଥିଲେ । ସ୍ଥାନୀୟ ଖ୍ରୀଷ୍ଟୀୟ ଯୁବକ ଯବତୀମାନେ ସେବା କାର୍ଯ୍ୟରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ଚାପଧାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାର ବ୍ୟବସ୍ଥା କଡ଼ାକାଡ଼ି କରାଯାଇଥିଲା। ସମାବେଶର ଶେଷରେ ପ୍ରଶାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Prev Post