ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ଅଞ୍ଚଳର ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ସାନ୍ତିଝରରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମୁଛି । ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ସାଙ୍ଗକୁ ଝରଣାର କୁଳୁ କୁଳୁ ନାଦ ବେଶ ଆକର୍ଷଣୀୟ ହୋଇଥିବା ଯୋଗୁଁ ପର୍ଯ୍ୟଟକମାନେ ଏହାକୁ ଭରପୁର ଉପଭୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲା ସମେତ ପାର୍ଶ୍ଵବର୍ତ୍ତୀ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ମଧ୍ୟ ଛୁଟି ଆସୁଛନ୍ତି । ଲୋକଙ୍କ ଭିଡ଼ ସାଙ୍ଗକୁ ବଣ ଭୋଜି ଏଠାରେ ପ୍ରତିଦିନ ହେଉଥିବାରୁ ବ୍ୟବହୃତ ବର୍ଜ୍ୟ ସାମଗ୍ରୀ ଗୁଡିକ ଏଣେ ତେଣେ ପଡ଼ି ପରିବେଶ ପ୍ରଦୂଷିତ ହେଉଛି । ଏଣୁ ଧରାକୋଟ ସତ୍ୟସାଇ ସେବା ଗ୍ରୁଫ ସହ କିଛି ସମାଜସେବୀ ସାନ୍ତିଝର ଓ ଏହାର ଉପର ମୁଣ୍ଡରେ ଥିବା ହନୁମାନ ବାଟିକା, ରାଜ ରଜେଶ୍ଵରୀ ଗଡଚଣ୍ଡି ପୀଠ ସମେତ ମା କାଠୁଳିଆ ପୀଠରେ ଆଜି ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ଧରାକୋଟ ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ, ଶିବ ପ୍ରସାଦ ମହାନ୍ତି, ପ୍ରଦୀପ ପାତ୍ର, ଅରକ୍ଷିତ ପାତ୍ର, କୈଳାସ ବାରିକ, କାହ୍ନୁ ଗୌଡ଼, ଶିବ କୁମାର ଦାସ, ଶିମା ଞ୍ଚଳ ମହାନ୍ତି, ରଞ୍ଜନ ବେହେରା, ଗଣେଷ ପାତ୍ର ଓ ହୃଦାନନ୍ଦ ଜେନା ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ଏକ ଆକର୍ଷଣୀୟ ସ୍ଥାନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ କରିନାହାନ୍ତି । ଏଣୁ ପର୍ଯ୍ୟଟନ ବିଭାଗ ତରଫରୁ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ସହ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି।