ଓଡିଶାର ଡାର୍ଜୀଲିଙ୍ଗ ଓ ଦ୍ବିତୀୟ କାଶ୍ମୀର ଭାବେ ପରିଚିତ ଘୁ.ଉଦୟଗିରି ପାରଦ ତଳମୁହାଁ: ତାପମାତ୍ରା ୭ ଡିଗ୍ରୀ ରେକର୍ଡ, ପ୍ରଶାସନିକ ଅବହେଳା ଯୋଗୁଁ ପ୍ରାଥମିକ ସୁବିଧା ଅଭାବରୁ ପର୍ଯ୍ୟଟନ ସ୍ଥଳରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଓ ସହର ଓଡ଼ିଶାର ଡାର୍ଜୀଲିଙ୍ଗ ଓ ଦ୍ଵତୀୟ କାଶ୍ମୀର ଭାବେ ବେଶ ପରିଚିତ I ଏଠାରେ ଥିବା ଥିବା ପର୍ଯ୍ୟଟନ ସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପହିଲି ଶୀତର ଆଗମନରେ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ I ଆଜିର ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବା ଆଞ୍ଚଳିକ ପାଣିପାଗ ବିଭାଗ ତଥା RRTTSର ARD ଜ୍ଞାନଲୋକ ଦାଶଙ୍କ ସୂଚନା ଦେଇଛନ୍ତି I
ପ୍ରବଳ ଥଣ୍ଡାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଛି I ଅସମ୍ଭାଳ ଶୀତ ଯୋଗୁଁ ସନ୍ଧ୍ୟା ପରେ ଜନ ଶୂନ୍ୟ ହେଉଛି ସାରା ସହର I ବିଭିନ୍ନ ସ୍ଥାନରେ ଧୂନି ଜାଳି ଲୋକେ ନିଆଁ ପାଖରେ ବସି ନିଆଁ ପୋଉଁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି I ଲୋକେ ଶୀତ ବସ୍ତ୍ର ପିନ୍ଧି ସକାଳେ ମର୍ଣ୍ଣିଙ୍ଗ ୱା୍ଲକ କରୁଥିବା ବେଳେ ସକାଳୁ ସକାଳୁ ପ୍ରତ୍ୟେକ ଛକରେ ଚାହା ଖଟି କରି ଲୋକେ ଶୀତର ଭରପୁର ମଜା ଉଠାଉଛନ୍ତି I କିନ୍ତୁ ପର୍ଯ୍ୟଟନ ବିଭାଗ ତରଫରୁ ଘୁ.ଉଦୟଗିରି ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଯେଭଳିକି ସିର୍କୀ ଇକୋ ପାର୍କ, କାଲିଗାଡୁ ହିଲ ଭିୟୁ ପଏଣ୍ଟ, ରାଜାଗାଡ଼ା ଜଳ ପ୍ରପାତ, କାକାଲବାକି ଜଳପ୍ରପାତକୁ ସେଭଳି କୌଣସି ଗୁରୁତ୍ୱ ଦିଆଯାଉନ ଥିବା ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ ଆଣିଛନ୍ତି I ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ କଳିଙ୍ଗାର ସିଲଭିକଲଚର ରିସର୍ଚ୍ଚ ସେଣ୍ଟର, ପ୍ରାକୃତିକ ସୌନ୍ଦର୍ଯ୍ୟ ମୟ କଳିଙ୍ଗା ଘାଟି, କାଲିଗାଡ଼ୁ ହିଲ ଭିୟୁ ପଏଣ୍ଟ, ରାଜାଗାଡ଼ା ଜଳପ୍ରପାତ ଭଳି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଲୁଚି ହୋଇ ରହିଛି I ରାଜନୈତିକ ତଥା ପ୍ରଶାସନିକ ଇଛା ଶକ୍ତି ଅଭାବ ହେତୁ କୌଣସି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରଣ ହେଉନଥିବା ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ ଆଣିଛନ୍ତି I ପର୍ଯ୍ୟଟକଙ୍କ ଆଗମନରେ ଅଞ୍ଚଳ ବାସୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହୋଇଥାନ୍ତା, କିନ୍ତୁ ସେଭଳି କୌଣସି ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ହୋଇନାହିଁ I ଆର୍ଥିକ ଅଭାବ ଅନାଟନ ଯୋଗୁଁ ଲୋକେ ଦାଦନ ଖଟିବା ପାଇଁ ପୁଣି କେରଳ, ତାମିଲନାଡୁ ମୁହାଁ ହେଲେଣି I ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ସରକାରଙ୍କ ତରଫରୁ ମୌଳିକ ସୁବିଧା ସହ ଗମନାଗମନର ସୁ-ବ୍ୟବସ୍ଥା କରାଗଲେ ଏଠାକୁ ଆସୁଥିବା ପର୍ଯ୍ୟଟକ ଏବଂ ଅଞ୍ଚଳ ବାସୀଙ୍କ ସ୍ୱାର୍ଥରକ୍ଷା ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି I