“ବାବୁ ମୋ ପୁଅକୁ ବଞ୍ଚାନ୍ତୁ, କେଉଁଠୁ ଟଙ୍କା ଆଣିବୁ ,କିପରି ତାର ଚିକିତ୍ସା ହେବ, ମତେ ସାହାଯ୍ୟ କରନ୍ତୁ ବାବୁ” ରୋଜଗାରିଆ ପୁଅର ଚିକିତ୍ସା ପାଇଁ ବାପାର ଆକୁଳ ନିବେଦନ….
ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତର କହିରାପଲି ଗ୍ରାମର ସର୍ଜନ ଗୌଡ଼ ଏବଂ ନର୍ମଦା ଗୌଡ଼ଙ୍କ ଚାରି ପୁଅ ମଧ୍ୟରେ ଏକ ମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ସୁନିଲ । ଯୁବକଙ୍କ ବୟସ ୩୨ ବର୍ଷ । ସ୍ତ୍ରୀ ଲିଟି, ପୁଅ ରାଜକୁମାର ଓ ଝିଅ ସୁହାନିଙ୍କୁ ନେଇ ସୁନିଲ ଙ୍କ ଛୋଟିଆ ପରିବାର । ସୁରଟରେ କାମ କରି ନିଜର ସ୍ତ୍ରୀ, ପୁଅ, ଝିଅ ସହ ବାପା ମାଙ୍କୁ ପାଖରେ ରଖି ଖୁସିରେ ପରିବାର ଚଳାଇ ଆସୁଥିଲେ ସୁନିଲ । ଏହା ମଧ୍ୟରେ ହାତ ଗୋଡ଼ ଫୁଲିବାରୁ ତାଙ୍କୁ ସୁରଟରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନେବାରୁ ଏଥିପାଇଁ ଅଧିକ ଟଙ୍କା ଆବଶ୍ୟକତା ଦର୍ଶାଇ ଡାକ୍ତର ତାଙ୍କୁ ଗାଁକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଏଣୁ ବାଧ୍ୟ ହୋଇ ସୁନିଲ ଗାଁକୁ ଫେରିବା ପରେ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ନିଆଯାଇଥିଲା । ସେଠାରେ ତାଙ୍କର କିଡନୀ ଖରାପ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ସଂପ୍ରତି ଉତ୍କଳ ହସ୍ପିଟାଲ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଛି । ଡାକ୍ତର ସମସ୍ତ ପରୀକ୍ଷା ପରେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଥିବା ଜାଣିବା ପରେ ତାଙ୍କ ସ୍ତ୍ରୀ ଲିଲି ବର୍ତ୍ତମାନ ସ୍ବାମୀଙ୍କୁ ନିଜର ଗୋଟିଏ କିଡନୀ ଦେବାପାଇଁ ରାଜି ହେବାପରେ ଏଥିପାଇଁ ଡାକ୍ତରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ପ୍ରାୟ ଦଶଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ପ୍ରକାଶ କରିବା ପରେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି । ରାଜ୍ୟ ସରକାରଙ୍କ ବରଦାନ ସାବ୍ୟସ୍ତ ହେଉଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩.୬୦ ଲକ୍ଷ୍ୟ ଟଙ୍କା ଓ ଦିତ୍ୱୀୟ ପର୍ଯ୍ୟାୟ ରେ ୧.୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଆଗକୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ଏଥିପାଇଁ ଆବଶ୍ୟକୀୟ ପ୍ରମାଣ ପତ୍ର ପାଇଁ ବାପା ସର୍ଜନ ଗୌଡ଼ ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇଙ୍କୁ ଜଣାଇବା ପରେ ତହସିଲ କାର୍ଯ୍ୟାଳୟ ତରଫରୁ ତାଙ୍କୁ ତୁରନ୍ତ ପ୍ରମାଣ ପତ୍ର ସବୁ ପ୍ରଦାନ କରାଯାଇଛି । ହେଲେ ଅସ୍ତ୍ରୋପଚାର ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବାକୁ ଥିବାବେଳେ ବାପା ସର୍ଜନ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ସହାୟତା ପାଇଁ ଅନୁରୋଧ କରୁଥିବା ଦେଖାଯାଇଛି । “ବାବୁ ମୋ ପୁଅକୁ ବଞ୍ଚାନ୍ତୁ, କେଉଁଠୁ ଟଙ୍କା ଆଣିବୁ ,କିପରି ତାର ଚିକିତ୍ସା ହେବ, ମତେ ସାହାଯ୍ୟ କରନ୍ତୁ ବାବୁ” ଏହା ହେଉଛି ଜଣେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୁଅ ପାଇଁ ବାପାର ଆକୁଳ ନିବେଦନ । ତାଙ୍କ ପରିବାରର ଅନ୍ୟ କେହି ରୋଜଗାର କ୍ଷମ ବ୍ୟକ୍ତି ନଥିବା ବେଳେ ଜମିବାଡ଼ି ମଧ୍ୟ କିଛି ନାହିଁ । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।
