ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାର ଦିନ ବହୁ ପ୍ରତୀକ୍ଷିତ ନୂତନ ବ୍ଳକ ମାନ୍ୟତା ଦାବି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଟିକିରି ସରପଞ୍ଚ ଜଗବନ୍ଧୁ ମାଝିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅନ୍ତର୍ଗତ ବାର ଗୋଟି ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ରହି ଥିଲେ । ବର୍ତମାନ ସ୍ଥିତିରେ ୨୪ଗୋଟି ଗ୍ରାମପଞ୍ଚାୟତକୁ ନେଇ କାଶୀପୁର ବ୍ଲକ ପରିଚାଳନା ହେଉଥିବା ବେଳେ ମୁଖ୍ୟତଃ କାଶୀପୁର ସ୍ଥିତି ଭୌଗଳିକ କାରଣରୁ ଓ ବନ ଜଙ୍ଗଲ, ପାହାଡ଼ ପର୍ବତରେ ପରିପୂର୍ଣ୍ଣ । କହିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ଏଠାରେ ଶିକ୍ଷା ଓ ଗମନା ଗମନ ଦିଗରେ ବିକାଶ ଏଠାରେ କଷ୍ଟକର ବ୍ୟାପାର ସାଜିଛି । ଫଳରେ ପ୍ରଶାସନିକ ତ୍ରୁଟି ଉପୁଜିଥିବା ଓ ବିକାଶ ଦିଗରେ ବାଧା ସୃଷ୍ଟି ହେଉଅଛି । ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ଠାରୁ କାଶୀପୁର ବ୍ଲକ ଆୟତନରେ ବଡ଼ ହେଇଥିବା ବେଳେ ପ୍ରାୟ ଏକ ଲକ୍ଷ୍ୟରୁ ଉର୍ଦ୍ଧ୍ଵ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ସେହିପରି କାଶୀପୁର ଏକ ଶିଳ୍ପ ସମୃଦ୍ଧି ଅଞ୍ଚଳ ହୋଇଥିବା ବେଳେ ଆର୍ଥିକ ସ୍ୱଛଳ ଥାଇ ମଧ୍ୟ ସମ ଦୃଷ୍ଟିରେ ବିକାଶର ଅଗ୍ରଗତି ହେଇପାରୁ ନାହିଁ । ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକିରି ଠାରେ ଅନେକ ଦିନରୁ ଏକ ସ୍ଵତନ୍ତ୍ର ଭାବେ ବ୍ଲକ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବି ରହିଆସୁ ଥିବା ବେଳେ ଉପସ୍ଥିତ ଶତାଧିକ ବୁଦ୍ଧିଜୀବୀ ଆଜିର ବୈଠକରେ ଏକତ୍ରିତ ଭାବେ ସହମତି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବୀ ମଧ୍ୟରେ ସୀମାଞ୍ଚଳ ଷଡଙ୍ଗୀ, ଗୌରାଙ୍ଗ ସାହୁ, ବଗ ମାଝି, ଗୋବିନ୍ଦ ମାଝି, ତେଲି ନାଏକ, ଝିଜୁରୁ ମାଝି, ଟୁକୁରୁ ମହାନ୍ତି, ମୁକୁନ୍ଦ ବିଶାଇ, ଲିଙ୍ଗରାଜ ମାଝି, ସୁମାନ୍ତ ନାଏକ, ସାନ୍ଧୁ ଚରଣ ମାଝି, ଶିବ ମାଝି ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
