ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଧୀନରେ ଥିବା ମଥୁରା ଗ୍ରାମର ସନିଦେବ ମନ୍ଦିର ନିକଟସ୍ଥ ହରଭଙ୍ଗି କେନାଲରୁ ଆଜି ଏକ ଗାଈ ଚରାଳୀ ରବୀନ୍ଦ୍ର ଗୌଡ଼ ୩୫ର ମୃତ ଦେହ ବଡଗଡ ପୁଲିସ ଦ୍ବାରା ଉଦ୍ଧାର କରାଯାଇଛି । ଅନୁସନ୍ଧାନ ବେଳେ ଏହା ମଛାକୋଟ ପଞ୍ଚାୟତ ଅଧିନସ୍ଥ କରାତଳି ଗ୍ରାମର ଲକ୍ଷ୍ମଣ ଗୌଡ଼ ଙ୍କ ପୁତ୍ର ରବୀନ୍ଦ୍ର ଙ୍କର ବୋଲି ଜଣାପଡିଛି । ବଡଗଡ ଥାନାରେ ମୃତ ରବୀନ୍ଦ୍ର ଙ୍କ ସ୍ତ୍ରୀ ରିନା ଗୌଡ଼ ଦେଇଥିବା ଏତଲା ଅନୁଯାୟୀ ଗତକାଲି ଅର୍ଥାତ ରବିବାର ଦିନ ସ୍ବାମୀ ରବୀନ୍ଦ୍ର ସକାଳ ୯ ଘଣ୍ଟା ସମୟରେ ନିଜର ଗାଈ ପଲ ଓ ଛେଳିମାନଙ୍କୁ ଗମ୍ଭାରୀ ଗୁଡା ନିକଟସ୍ଥ କଇଁଫୁଲିଆ ପାହାଡକୁ ଚରାଇବା ପାଇଁ ନେଇଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ଭାଇ ଦେବେନ୍ଦ୍ର ଓ ପୁଅକୁ ଖୋଜିବା ପାଇଁ ପଠାଇ ଥିଲେ । ପାହଡ଼ ପାଖ କେନାଲ ହିଡରେ ରବୀନ୍ଦ୍ରଙ୍କ ତଲାରି, ଚପଲ, ଚଦର ଓ ବାଡି ପଡିଥିବା ବେଳେ ତାଙ୍କର ଖୋଜ ଖବର ପାଇ ନଥିଲେ । ଏକଥା ଗାଁରେ ଜଣାଇବା ପରେ ଗାଁ ଲୋକେ ମିଳିତ ଭାବରେ ଖୋଜା ଖୋଜି କରି ନପାଇବା ପରେ ବଡଗଡ ଥାନାରେ ଖବର ଦେଇଥିଲେ । ଏହା ପରେ ସନ୍ଦେହ କରି ହରଭଙ୍ଗୀ କାର୍ଯ୍ୟାଳୟର ପଦାଧିକାରୀଙ୍କୁ ଖବର ଦେଇ କେନାଲ ପାଣି ବନ୍ଦ କରିବା ପରେ ଭୋର ସମୟରେ ଶନିଦେବ ମନ୍ଦିର ନିକଟସ୍ଥ କେନାଲ ଗେଟରେ ଏକ ମୃତ ଦେହ ଲାଗିଥିବା ଦେଖି ଥାନାକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ମୃତ ଦେହକୁ ବଡଗଡ ମେଡିକାଲ ନେବାପରେ ଡାକ୍ତର ମୃତ ଘୋଷଣା କରିଥିଲେ । ରବୀନ୍ଦ୍ରଙ୍କ ଶବକୁ ପୁଲିସ ଜବତ କରି ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ଥାନା ଅଧିକାରୀ ସନ୍ଧ୍ୟାରଣି ସିଂହ ଙ୍କ ସହ ଯୋଗାଯୋଗ ବେଳେ ଏନେଇ ୨୮/୨୩ରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ହେଲେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ବେଳେ ରବୀନ୍ଦ୍ରର ମୁଣ୍ଡର ଉପର, କପାଳ ଓ ବେକ ପାଖରେ କଟା ଚିହ୍ନ ଥିବାରୁ ଏହା ହତ୍ୟା କାଣ୍ଡ ନା କେନାଲ ଭିତର ପଥର ରେ ଆଘାତ ଚିହ୍ନ ତାକୁ ନେଇ ସନ୍ଦେହ ଦେଖା ଦେଇଛି। ପ୍ରକାଶ ଯୋଗ୍ୟ ମୃତ ରବୀନ୍ଦ୍ରଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଏଣୁ ପୁଲିସ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ସ୍ତ୍ରୀ ରିନା ଗୌଡ଼ ସହ ଗାଁ ଲୋକ ଦାବୀ କରିଛନ୍ତି।
