ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଦିନ ହେଲା ବର୍ଷା ନାହିଁ। ନଦୀ, ଗାଡିଆ, ପୋଖରୀ ସମେତ ଜଳଉତ୍ସ ସବୁ ଶୁଖିଲା ପଡ଼ିଛି। ଆରମ୍ଭରୁ ବର୍ଷାର ଅନିୟମିତତା ଯୋଗୁଁ ବିଳମ୍ବରେ ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତରେ ରୁଆ ବେଉଷଣ କାମ ଆରମ୍ଭ ହୋଇଥିଲା । ପ୍ରଥମରୁ ମନରେ ଗଭୀର ଆତ୍ମବିଶ୍ବାସ ରଖି ଚାଷ କାମରେ ମାତିଥିବା ଚାଷୀ ସଂପ୍ରତି ମରୁଡି ଆଶଙ୍କାରେ ଚିନ୍ତାଗ୍ରସ୍ତ ହୋଇପଡିଛି । ବର୍ଷକର ଅର୍ଜନ ଆଖି ନଷ୍ଟ ହେବାକୁ ବସିଛି। କିପରି ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ଚିନ୍ତାରେ ପଡିଛନ୍ତି ଚାଷୀକୁଳ । ବ୍ଲକର ସିଙ୍ଗିପୁର, ଝାଡବନ୍ଧ, ଝରପାରୀ, ବାହାରପୁର, ରୁଗୁମୁ, ଓଳମ୍ବା,ବଳରାମ ପୁର, ସାବା, ମାଣିକପୁର, ବରଡାବିଲି, ଧରାକୋଟ ଆଦି ପଞ୍ଚାୟତରେ ପୁଡ଼ା ହୋଇଥିବା ଧାନ ଫସଲ ଜଳିଯିବା ସହ ଜମି ଫାଟି ଆଁ କଲାଣି । ଏ ସମ୍ପର୍କରେ ବ୍ଲକ କୃଷି ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି । ସେହି ପରି ରାଜସ୍ବ ବିଭାଗ ସହ ଯୋଗାଯୋଗ ବେଳେ ସରକାରୀ ନିର୍ଦ୍ଦେଶ ପ୍ରକାରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରି କୃଷି ଋଣ ଛାଡ ସହ ବୀମାଭୁକ୍ତ ଜମି ପାଇଁ କ୍ଷତି ପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।