ଧରାକୋଟ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖିଲେ ୨୧ ବିଦ୍ୟାର୍ଥୀ…..

ଅନୁସନ୍ଧାନ ଭାରତ(ବ୍ୟୁର):ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ । ରାଜ୍ୟ ସରକାରଙ୍କ ଏହା ହେଉଛି ଡାକରା । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାପାଇଁ ସରକାର ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପାଠ ପଢାର ବ୍ୟବସ୍ଥା କରିଛନ୍ତି । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡିଥିବା ଶିଶୁ, ମେଟ୍ରିକ ଫେଲ ପୁଅ, ଝିଅ ବିଦ୍ୟାଳୟ ରେ ଅନୁପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସ୍ଥାନୀୟ ସ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖି ପାଠ ପଢାର ବ୍ୟବସ୍ଥା କରିବା ପରେ ସଂପ୍ରତି ୨୧ ଜଣ ଛାତ୍ରୀ ଏବଂ ଛାତ୍ର ଚଳିତ ବର୍ଷ ନାମ ଲେଖିଛନ୍ତି । ସେମାନଙ୍କୁ ମାଗଣାରେ ପାଠ ପଢା ସହ ପରୀକ୍ଷା ଏବଂ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବା ବ୍ୟବସ୍ଥା ରାଜ୍ୟ ସରକାରଙ୍କ ତରଫରୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୧୫,୫୦୦ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ୧୬୧୬ ଜଣଙ୍କ ନିମନ୍ତେ ଲକ୍ଷ୍ୟ ରଖାଯାଇଛି l ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କ୍ଲଷ୍ଟର ମାନଙ୍କ ଆଞ୍ଚଳିକ ସଂଯୋଜକ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନେ ଘର ଘର ବୁଲି ପରିବାର ଏବଂ ଶିଶୁକୁ ପରାମର୍ଶ କରି ଏହି ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ନାମ ଲେଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l ଏଥିରେ ନାମ ଲେଖାଇବା ପାଇଁ ଶିଶୁ ମାନଙ୍କ ବୟସ ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ ରହିଛି l ପିଲାମାନେ ନିଜର ଭବିଷ୍ୟତ ନିଜେ ଗଢିବା, ନିଜେ ନିଜର ରୋଜଗାର କରିବାରେ ସକ୍ଷମ ହେବା, ନିଜ ଅଧ୍ୟରେ ଆତ୍ମବିଶ୍ଵାସ ଆଣିବା ସକାଶେ ସରକାର ନାମ ଲେଖାର ଶେଷ ତାରିଖ ଅଗଷ୍ଟ ମାସ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି l ଆହୁରି ଅନେକ ଶିଶୁ ବାହାର ରାଜ୍ୟକୁ କାମ କରିବାକୁ ଚାଲିଯାଇଥିବାରୁ ଏହି ସ୍କୁଲରେ ନାମ ଲେଖା ହୋଇପାରୁନଥିବା କିଛି ଶିକ୍ଷକ ମତ ରଖିଛନ୍ତି l ପଂଚାୟତ ସ୍ତର ରେ ଶିଶୁ ସୁରକ୍ଷା କମିଟି, ଗ୍ରାମ ସ୍ତରରେ ଗାଁ ଶିଶୁ ସୁରକ୍ଷା କମିଟି ସୁଦୃଢ ହେଲେ ଶିଶୁ ଶ୍ରମିକ ରୋକିବା ସହ ଅନେକ ଶିଶୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧ୍ୟୟନ କରିପାରିବେ l ପ୍ରତ୍ୟେକ ରବିବାର ଦିନ ଏହି ସ୍କୁଲରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କୁ ବିଷୟ ଭିତିକ ପାଠ୍ୟ ଖସଡ଼ା ପଢ଼ାଯିବ l ଏସମ୍ପର୍କରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯିବା ସହ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ମୁକ୍ତ ବିଦ୍ୟାଳୟରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଛନ୍ତି ।