ଅନୁସନ୍ଧାନ ଭାରତ(ବ୍ୟୁର) ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ଗୁରୁବାର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ପୌର ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ପୌର କର୍ମଚାରୀମାନେ ସମ୍ମିଳିତ ହୋଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ସ୍ଵଚ୍ଛ ସଚେତନତା ଶୋଭାଯାତ୍ରାରେ ବାହାରି ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ସେଠାରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ଯୁବନେତା ପ୍ୟାରୀ ମୋହନ ପାଢ଼ୀ ପ୍ରମୁଖଙ୍କ ସମେତ ସମସ୍ତ କାଉନସିଲର ଓ ପୂର୍ବତନ କାଉନସିଲରମାନେ ମଞ୍ଚାସୀନ ଥିଲେ । ଏହି ଅବସରରେ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ୧୦ ଗୋଟି ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ମଧ୍ୟ ଏକ ସାଧାରଣ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।