ଧରାକୋଟ ବସ ଷ୍ଟାଣ୍ଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପାଖରେ ନିର୍ମାଣ ପାଇଁ ଗାଁ ମେଳି ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ୟବହାର ଉପଯୋଗୀ ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଆଜି ଧରାକୋଟରେ ଗାଁ ମେଳି ଦେଖିବାକୁ ମିଳିଥିଲା । ଗାଁ ର କୋଠରୀ ସାହି, ବଜାର ସାହି,ନୂଆ ସାହି, ମେଡିକାଲ ସାହି, ସ୍ୱାଇଁ ସାହି, ମଝି ସାହି, ସାମନ୍ତ ସାହି, କୁମ୍ଭାର ସାହିର, ବଉଳ ମେଲା, ସ୍ଵପ୍ନେଶ୍ୱର ନଗର, ବଡଦାଣ୍ଡ ସାହି ପ୍ରଭୃତି ଗ୍ରାମର ଶହ ଶହ ଲୋକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାମନାରେ ମେଳି ବାନ୍ଧି ଏକତ୍ରିତ ହୋଇଥିଲେ । ବଣିକ ସଂଘ, ବରିଷ୍ଠ ନାଗରିକ, ଓକିଲ,ସାମ୍ବାଦିକ ସହ ଗାଁ ଲୋକେ ମିଶି ବସ ଷ୍ଟାଣ୍ଡ ନିର୍ମାଣ ଉପରେ ନିଜ ନିଜର ମତ ରଖିଥିଲେ । ବରିଷ୍ଠ ନାଗରିକ ସୁନିଲ କୁମାର ଗୌଡ଼ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସରପଞ୍ଚ ପୁନିଆ ଦାସ, ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ, ବଣିକ ସଂଘ ସଭାପତି ଗଣେଶ ପାତ୍ର, ପ୍ରଫୁଲ୍ଲ ପାଣିଗ୍ରାହୀ, କୃତିବାସ ସାହୁ, ଗୋଲକ ସାହୁ, ଅରକ୍ଷିତ ପାତ୍ର, ଶିବ ପ୍ରସାଦ ମହାନ୍ତି, ମିନ କେତନ ପାଣିଗ୍ରାହୀ, ରବୀନ୍ଦ୍ର ଘୋଷ, ତ୍ରିନାଥ ସାହୁ, ବଂଶୀଧର ତ୍ରିପାଠୀ, ରାଜେନ୍ଦ୍ର ବେହେରା, ଗୌର ହରି ଦାସ, ନିରଞ୍ଜନ ପଟ୍ଟନାୟକ, ସାମ୍ବାଦିକ ହୃଦାନନ୍ଦ ଜେନା, ବିଷ୍ଣୁ କେଶରୀ ଆଚାର୍ଯ୍ୟ ଓ ବିକ୍ରମ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଧରାକୋଟ ପଞ୍ଚାୟତ ନିକଟରେ ଅନୁଧ୍ୟାନ କମିଟି ପକ୍ଷରୁ ଚିହ୍ନଟ କରାଯାଇଥିବା ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବୀ କରିଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପ ଜିଲ୍ଲାପାଳ, ତହସିଲଦାର, ଥାନା ଅଧିକାରୀ ଓ ୫ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରକାଶ ଯୋଗ୍ୟ ରାଜସ୍ବ ବିଭାଗ ତରଫରୁ ଖମାର ପାଇତାରି ମୌଜାରେ ମୋ ବସ ଷ୍ଟାଣ୍ଡ ଯୋଜନାରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯାହାକି ଧରାକୋଟ ଠାରୁ ଦେଢ଼ କିମି ଦୂରରେ ରହିଛି। ଏଣୁ ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ଏହାକୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କରିବା ପାଇଁ ଦାବୀ କରାଯାଉଛି ।