ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରେ ଠପ: ଧୂଳି ମୟ ଦୋକାନ ବଜାର, ଅଗଷ୍ଟ ୩୧ରେ ବ୍ରାହ୍ମଣୀଗାଁ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଲେ ଅଞ୍ଚଳ ବାସୀ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ଦୀର୍ଘଦିନ ବିତିଗଲାଣି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଠିକାଦାର କାମ ଛାଡି ପଳାଇ ଯାଇଥିବା ଜଣା ପଡ଼ିଛି । ଅଧାରେ କାମ ଅଟକି ରହିଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳର ଏହା ଏକ ବ୍ୟବସାୟିକ ପେଣ୍ଠ ସ୍ଥଳ ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକେ ଗମନା ଗମନ କରନ୍ତି, ଶତାଧିକ ଗାଡ଼ି ମୋଟର, ଓ ଭାରୀ ଯାନ ବାହନ ଚଳାଚଳ କରୁ ଥିବା ବେଳେ ଦୋକାନ ବଜାର ଧୂଳିରେ ପୂର୍ଣ୍ଣ ହୋଇଯାଉଛି । ଏହକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି I ଆଗାମୀ ଅଗଷ୍ଟ ୩୧ତାରିଖରେ ଦୋକାନ ବଜାର ଓ ଚକ ଅଖ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳ ବାସୀ । ସୂଚନା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସ୍ଥାନୀୟ ପୁଲିସ ଓ ବ୍ଲକ୍ ପ୍ରଶାସନ ଙ୍କ ଉପସ୍ଥିତିରେ ତରବରିଆ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ I ଏକ ମାସ ମଧ୍ୟରେ ଡ୍ରେନ ନିର୍ମାଣ କାର୍ଯ୍ୟ ଓ ତିନି ମାସ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସାରିବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶୃତି ଦେଇଥିଲେ ଠିକାଦାର I ଉକ୍ତ ପ୍ରତିଶୃତି ପାଇବା ପରେ ସ୍ଥାନୀୟ ବଜାର ବାସୀ ନିଜ ନିଜ ଦୋକାନ ଭାଙ୍ଗିବାକୁ ସହମତି ପ୍ରକାଶ କରିଥିଲେ I କିନ୍ତୁ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍ ଖୋଳା କାର୍ଯ୍ୟରେ କିଛି ଅନିୟମିତତା ଦେଖାଦେବାରୁ ବିବାଦ ଉପୁଜିଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ଆଉ କିଛି ଅଂଶ ଭଙ୍ଗା ଯାଇଥିଲା I ଏହା ପରେ ପୁଣି କାମ ଆରମ୍ଭ ହୋଇଥିଲା I ଲଗାଣ ବର୍ଷା ସତ୍ତ୍ୱେ ସମୟ ସୁବିଧା ଦେଖି ରାସ୍ତାରେ ମେଟେଲିଂ କାର୍ଯ୍ୟ କରାଯାଇଥିଲା । ତେବେ ପ୍ରାୟ ଏକ ମାସ ବିତିଗଲାଣି ପାଗ ଶୁଖିଲା ରହିଥିବା ସତ୍ତ୍ୱେ ଯନ୍ତ୍ରୀ କି ଠିକାଦାର ଙ୍କ ଏଠି ଦେଖାମିଳୁ ନାହିଁ, ଅଧାପନ୍ତରିଆ ହୋଇ ପଡ଼ିରହିଛି ରାସ୍ତା ନିର୍ମାଣ କାର୍ଯ୍ୟ , ଦିନ ସାରା ଗାଡ଼ି ମଟର ଚଳାଚଳ କରୁଥିବା ବେଳେ ଧୂଳି ମୟ ହୋଇ ପଡ଼ିଛି ବଜାର ଘାଟ, ପାଣି ଟିକିଏ ବି ପକାଇବାକୁ କେହି ନାହିଁ, ଗାଡ଼ି ଟିଏ ଗଲେ ଧୂଳି ଉଡି ପରିବେଶ ଦୂଷିତ କରିବା ସହ ଖୋଲାରେ ବିକ୍ରି ହେଉଥିବା ଜଳଖିଆ, ପନିପରିବା, ଇଲେକ୍ଟ୍ରିକାଲ ଯନ୍ତ୍ରପାତି, ଦୋକାନର ଲୁଗାପଟା ଆଦି ନଷ୍ଟ ହେବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ସୂକ୍ଷ୍ମ ଧୂଳିକଣା ଆଘ୍ରାଣ କରି କରି ଲୋକେ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସ୍ଥାନୀୟ ଯନ୍ତ୍ରୀ ଜୟନ୍ତ ପତି ଓ ଦାୟିତ୍ୱରେ ଥିବା ଏସଡିଓ ହିମାଂଶୁ ମଣ୍ଡଳଙ୍କୁ ଫୋନ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ । ବିଭାଗୀୟ ଅଧିକାରୀ ମାନଙ୍କ ତଦାରଖ ର ଅବହେଳା ଓ ଦାୟିତ୍ଵ ହୀନତା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ଅବହେଳିତ ହୋଇ ପଡ଼ି ରହିଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆସନ୍ତା ୩୧ ତାରିଖରେ ବାଧ୍ୟ ହୋଇ ବନ୍ଦ ପାଳନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।