ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଆମ ବସ ଷ୍ଟାଣ୍ଡ ଯୋଜନାରେ ଦ୍ଵିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ନଅ ଗୋଟି ବସ ଷ୍ଟାଣ୍ଡକୁ ଅନୁମୋଦନ କରିଛନ୍ତି । ଏହି ସବୁ ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ସେଥି ମଧ୍ୟରେ ରହିଛି ଧରାକୋଟ ବସ ଷ୍ଟାଣ୍ଡ । ଧରାକୋଟରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ଛଅ ମାସ ପୂର୍ବେ ଏକ କମିଟି ଧରାକୋଟ ଗସ୍ତ କରି ଧରାକୋଟ ମୌଜାର ପ୍ଲଟ ନଂ ୧୪୩୮, ୧୪୩୯, ୧୪୪୦ ଓ ୧୪୪୧କୁ ଚିହ୍ନଟ କରିଥିଲେ । କିନ୍ତୁ ବର୍ତ୍ତମାନ ଏହକୁ ପରିବର୍ତ୍ତନ କରାଯାଇ ରାଜସ୍ବ ବିଭାଗ ତରଫରୁ ଖମାର ପାଇତାରି ମୌଜାରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ବିଭାଗ ତରଫରୁ ରାଜ୍ଯ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା ଧରାକୋଟ ଠାରୁ ଦେଢ଼ କିମି ଦୂରରେ ହୋଇଥିବା ଯୋଗୁଁ ପରିବହନ ସେବା ବିଗିଡିବାର ଆଶଙ୍କା ପ୍ରକାଶ ପାଇଛି । ସଂପୃକ୍ତ ସ୍ଥାନରେ ବସ ଷ୍ଟାଣ୍ଡ ହେଲେ ବ୍ରହ୍ମପୁର ଠାରୁ ସୋରଡ଼ା, ବାଲିଗୁଡା, ନୂଆପଡ଼ା ପର୍ଯ୍ୟନ୍ତ ଯାଉଥିବା ବସ ଧରାକୋଟ ଭିତରକୁ ନଆସି ବାଇପାସ ଦେଇ ଚାଲିଯିବାର ସମ୍ଭାବନା ରହିଛି । ଏଣୁ ଆଜି ଧରାକୋଟ ବଣିକ ସଂଘ ତରଫରୁ ସ୍ଥାନୀୟ ତହସିଲଦାର କବିରାଜ ପ୍ରଧାନଙ୍କୁ ସାକ୍ଷାତ କରି କମିଟି ଦ୍ୱାରା ପୂର୍ବରୁ ଚିହ୍ନଟ ହୋଇ ଥିବା ଧରାକୋଟ ମୌଜାରେ ଏହାର ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା । ସଭାପତି ବିଜୟ କୁମାର ପାତ୍ରଙ୍କ ସହ ବରିଷ୍ଠ ସଦସ୍ୟ ସୁନିଲ କୁମାର ଗୌଡ଼, ପ୍ରଫୁଲ୍ଲ ପାଣିଗ୍ରାହୀ, କୈଳାସ ସାହୁ, ଗୋଲକ ସାହୁ, ଅରକ୍ଷିତ ପାତ୍ର, ସୁବାସ ଚନ୍ଦ୍ର ପାତ୍ର, ଶିବ ପ୍ରସାଦ ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ମତ ରଖିଥିଲେ । ଏସମ୍ପର୍କରେ ତହସିଲଦାର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଯୋଗ୍ୟ ଧରାକୋଟରେ ଉପଯୁକ୍ତ ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଖୁବ ଶୀଘ୍ର ଗ୍ରାମବାସୀଙ୍କ ତରଫରୁ ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।