ଲାଲସିଂ କ୍ଲଷ୍ଟର ସିଆରସିସି ଭାବେ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଦାୟିତ୍ବ ଗ୍ରହଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଲାଲସିଂ କ୍ଲଷ୍ଟରର ନୂତନ ସିଆରସିସି ରୂପେ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ଦାୟିତ୍ବ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଟୋକାଗଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ ଶିକ୍ଷକ ଶ୍ରୀ ଲେଙ୍କା ନିଜସ୍ଵ ଉଦ୍ୟମ ଓ ପ୍ରଚେଷ୍ଟା ବଳରେ ତଥା ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀଙ୍କ ସହଯୋଗରେ ଏହି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ବିଭିନ୍ନ ପ୍ରକାରର ବୃକ୍ଷ ଓ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କ୍ରୋଟନ୍ ଓ ଫୁଲ ଚାରା ରୋପଣ କରିଛନ୍ତି । ଏଥିପାଇଁ ସବୁ ମହଲରେ ତାଙ୍କୁ ସ୍ଵାଗତ ଓ ସମର୍ଥନ କରାଯାଉଛି । ସେ ନିଜ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟକୁ ଏକ ଛାତ୍ର–କୈନ୍ଦ୍ରିକ ସୁନ୍ଦର ସବୁଜ ବଳୟରେ ପରିଣତ କରିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଜଣେ ପ୍ରକୃତି ପ୍ରେମୀ ଓ ସମାଜସେବୀ ଭାବରେ ଅଞ୍ଚଳରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି । ଆସିକା ବ୍ଲକ ଅନ୍ତର୍ଗତ ସିଦ୍ଧନଇ ପଂଚାୟତର ବାଦଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ବିଦ୍ୟାଳୟ ପରିବେଶକୁ ବଦଳାଇ ଏକ ସୁନ୍ଦର ସବୁଜ ବଳୟ ସୃଷ୍ଟି କରିଥିଲେ । ସେଥିପାଇଁ ସେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର, ପ୍ରକୃତି ମିତ୍ର ପୁରସ୍କାର, ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ଓ ଟାଟା ଷ୍ଟିଲ ଗୋପାଳପୁର ଆନୁକୁଲ୍ୟରେ ଗଂଜାମ ଜିଲ୍ଲାପାଳଙ୍କ ଠାରୁ କ୍ଲାଇମେଟ ରେଜିଲିଆନ୍ସର ଆଓ୍ଵାର୍ଡ ପାଇଛନ୍ତି । ଏଥି ସହିତ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ଠାରୁ ସମ୍ମାନିତ ହୋଇଛନ୍ତି ।