ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ମେଡ଼ିକାଲରେ ସୁଧୁରିବ ସ୍ଵାସ୍ଥ୍ୟସେବା । ଖାଲି ପଡିଥିବା ପଦବି ପୂରଣ ପାଇଁ ରାଜ୍ୟ ସରକାର ଆଜି ୫ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ୩ ଦିନ ମଧ୍ୟରେ ବିଶେଷଜ୍ଞଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ । ନିଯୁକ୍ତି ପାଇଥିବା ୫ ଜଣ ଡାକ୍ତର ମଧ୍ୟରେ ବିଶେଷଜ୍ଞ ଭେଷଜ ଡା. ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଅଭିଷେକ ମିଶ୍ର , ନିଶ୍ଚେତକ ବିଶେଷଜ୍ଞ ଡା. ଶିବାଙ୍ଗୀ ମହାନ୍ତି , ସର୍ଜରୀ ବିଶେଷଜ୍ଞ ଡା. ସୌମେନ୍ଦ୍ର ଶତପଥୀ ଏବଂ ଦନ୍ତ ବିଶେଷଜ୍ଞ ଡା.ବୋଧିସତ୍ଵ ପଟ୍ଟନାୟକ । କିଛି ବର୍ଷ ହେଲା ଗୁଣପୁର ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଅଭାବରୁ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତହୋଇ ଆସୁଥିଲେ । ଡାକ୍ତରଖାନା କେବଳ ରେଫରାଲ୍ କେନ୍ଦ୍ର ପାଲଟିଥିଲା । ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ବ୍ରହ୍ମପୁର, କଟକ, ଭୁବନେଶ୍ଵର ଓ ବିଶାଖାପାଟଣା ସ୍ଥାନାନ୍ତର କରାଯାଉଥିଲା । ଫଳରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହି ସମ୍ପର୍କରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗାମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦଲି ପ୍ରମୁଖ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ୫ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଇଥିବା ବେଳେ, ଜଣେ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଗଲେ ଅନେକଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି ।