୫ଟି ସଚିବଙ୍କ ଭଞ୍ଜନଗର ଗସ୍ତ ସଫଳ, ନିରାଶ ହେଲେ ଅଞ୍ଚଳବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ତିନି ଦିନ ଧରି ଗଂଜାମ ଜିଲ୍ଲା ଗ୍ରସ୍ତ ରେ ଅଛନ୍ତି ସଚିବ ୫ଟି ଭି.କେ.ପାଣ୍ଡିଆନ । ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିନ ଗସ୍ତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଡିଆରେ ସଚିବଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ୪୦ ମିନିଟ ଧରି ଚାଲିଥିବା ଏହି କାଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା, ଯୁବବର୍ଗଙ୍କ ସମେତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ୫ଟି ସଚିବଙ୍କ ଏହି ଗସ୍ତକୁ ସଫଳ ରୂପାୟନ କରାଇବାକୁ ପ୍ରଶାସନ ପକ୍ଷରୁ ୧୫ ଦିନ ଧରି ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ଶୁସଜିତ ସଭାସ୍ଥଳ ବ୍ୟୟ ବହୁଳ ଖର୍ଚ୍ଚ ସହ ବଡ ବଡ ନେତା ଓ ପ୍ରଶାସନିକ ଅଧିକାରୀ ଘନ ଘନ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରେ ଆଜି ୫ଟି ସଚିବ ଗସ୍ତ କରିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେଲିକପ୍ଟରରୁ ଓଲ୍ହାଇବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ ସାଧାରଣ ଅଭିଯୋଗ ଶୁଣାଣି କାଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯୁବ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗରିବ ଅସହାୟ ଲୋକେ ଉପସ୍ଥିତ ରହି ଅଭିଯୋଗ ଦାଖଲ କରିଛନ୍ତି । ସଚିବଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ କୋଣସି ପ୍ରକାର ବ୍ୟାଗ୍ ,କଳା ଛତା କିମ୍ବା ପୋଷାକ ,ପାଣି ବୋତଲ ଛଡା ଯାଇନଥିଲା । ଏଥି ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର,ଏନ୍ଏସି ଇଓ, ଏସିଡିପିଓ, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି କାଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ସଚିବଙ୍କ କାଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉତ୍ସାହ ରହିଥିବା ବେଳେ ସ୍ଥାନୀୟ ଲୋକ ତଥା ବୃଦ୍ଧିଜୀବୀମାନଙ୍କ ମଧ୍ୟରେ ସେତେଟା ଉତ୍ସାହ ଥିବା ଦେଖା ଯାଇନଥିଲା । ଜନସାଧାରଣଙ୍କ ବିଭିନ୍ନ ଆଶା ଯେମିତି ଆଶା ରେ ହିଁ ରହିଗଲା ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ବିଜୁବାବୁଙ୍କ ପୈତୃକ ଗାଁ ବେଲଗୁଣ୍ଠା ବ୍ଲକ ଘୁ. ନୁଆଗାଁ ଯେଉଠି ଏବେ ମଧ୍ୟ ପରିତ୍ୟକ୍ତ ଭାବେ ପଡି ରହିଛି ବିଜୁବାବୁ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ । ଫଳରେ ବିଜୁବାବୁଙ୍କୁ ଭଲ ପାଉଥିବା ଅଞ୍ଚଳବାସୀ ଏହି ସ୍ଥାନର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବି କରିଛନ୍ତି । ସେହିପରି ଘୁମୁସରର ଭଞ୍ଜ ରାଜବଂଶ ଏବଂ କନ୍ଧ ଆଦିବାସୀଙ୍କ ଆରାଧ୍ୟ ବହୁ ଲୋକଙ୍କ ଇଷ୍ଟ ଦେବୀ ମା ବ୍ୟାଘ୍ରଦେବୀଙ୍କ ଉନ୍ନତି ପାଇଁ ଯେତିକି ଆଶା ଥିଲା ତାହା ସମୁଦ୍ରକୁ ସଙ୍ଗେ ଭଳି ଅନୁମେୟ ହେଉଥିବା ବେଳେ ୫ଟି ସଚିବଙ୍କ ଅନ୍ୟାନ୍ୟ ଜିଲ୍ଲା ଗସ୍ତ ଗୁଡିକରେ ପଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ବ୍ୟାପକ ଅନୁଦାନ ଘୋଷଣା କରାଯାଇଛି । ଏଥି ସହିତ ଭଞ୍ଜନଗର ସହର ଛାତି ଉପରେ ଅବସ୍ଥିତ ଐତିହ୍ୟ ଗାନ୍ଧୀ କୌଳାସ ପାହାଡ, ଉପର ବ୍ୟାଘ୍ରଦେବୀ ଓ ତଳ ବ୍ୟାଘ୍ରଦେବି ପୀଠ, କୁଳାଡ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ଐତିହ୍ୟ ମନ୍ଦିର ଉନ୍ନତି ନିମନ୍ତେ କୌଣସି ଘୋଷଣା କରାଯାଇ ନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇ ନଥିବା ଦେଖାଯାଇଛି । ଅଞ୍ଚଳର ସମସ୍ତ କଲେଜ ଗୁଡିକୁ ୫ଟି ରେ ଅନ୍ତର୍ଭୁକ୍ତ ହୋଇଥିବା ୫ଟି ସଚିବ ଘୋଷଣା କରିଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏଥି ସହିତ ବିଭିନ୍ନ ସ୍ଥାନରେ ଚାଷୀଙ୍କ ପାଇଁ ପାଣି ବ୍ୟବସ୍ଥାର ଟଙ୍କା ବ୍ୟୟ ବରାଦର ହୋଇଥିବା ୫ଟି ସଚିବ ସୂଚନା ଦେଇଥିଲେ । ଗ୍ରାମ୍ୟ ଗୁଡିକର ମନ୍ଦିର ସମସ୍ୟା ନିମନ୍ତେ ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗ ପତ୍ର ଗୁଡିକ ସାତ ଦିନ ମଧ୍ୟରେ ସମାଧାନ କରାଯିବା ନେଇ ୫ଟି ସଚିବ କହିଥିଲେ । ୧୯୬୦ ମସିହାର ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ଆଇନ ପାଠ୍ୟକ୍ରମକୁ ପୁର୍ନବାର ଚାଲୁ କରିବା, ଖେଳ ପଡିଆ ଗୁଡିକର ଉନ୍ନତି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଛାତ୍ରଛାତ୍ରୀ ଓ କ୍ରୀଡା ପ୍ରେମୀ ମାନେ ମଧ୍ୟ ନିରାଶ ହେଇଥିବା ଦେଖାଯାଇଛି । ଗଂଜାମ ଜିଲ୍ଲା ଦାଦନ ଶ୍ରମିକ ସମସ୍ୟା ସମ୍ପର୍କରେ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରିବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି । ନଚେତ ଏହି ସବୁ ଆଡମ୍ବର ବ୍ୟୟବହୁଳ ଟଙ୍କା ଖର୍ଚ୍ଚ ରାଜନୈତିକ ଉଦ୍ଦେଶ୍ୟ ଆଡକୁ ଯାଉଥିବା ଚର୍ଚ୍ଚା ହେଉଛି । ସେହିପରି ଉପଖଣ୍ଡକୁ ‘ଘୁମୁସର ଜିଲ୍ଲା’ ମାନ୍ୟତା ପ୍ରଦାନ ପାଇଁ ଘୁମୁସର ବାହିନୀ ପକ୍ଷରୁ ଭଂଜନଗର, ସୋରଡା, ଆସିକା ସାଧାରଣ ଅଭିଯୋଗ ଶୁଣାଣି ବେଳେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଘୁମୁସର ଜିଲ୍ଲା ଦାବି ପତ୍ର ସହ ଶ୍ରୀ ପାଣ୍ଡିଆନ୍ ଗଂଜାମ ଜିଲ୍ଲାପାଳ ଥିବା ସମୟରେ ଉପଖଣ୍ଡ ଭଂଜନଗରକୁ ଜିଲ୍ଲାର ଆବଶ୍ୟକତା ରହିଥିବା ଯଥାର୍ଥତା ଦର୍ଶାଇ ପ୍ରଶାସନ ସ୍ତରରେ ୨୦୦୭ ମସିହାରେ ସୁପାରିଶ କରିଥିବା ବେଳେ ଏହାର ୧୨ ପୃଷ୍ଠାର ତଥ୍ୟ ସହ ଘୁମୁସର ଜିଲ୍ଲା ଦାବି ପତ୍ର ଯାଇଥିବା ସଂଘ ସଦସ୍ୟ ନଚିକେତା ପ୍ରଧାନ, ମାଧବ ନାୟକ, ନିଲୁ ବିଷୋୟୀ, ଅରକ୍ଷିତ ପରିଛା କହିଛନ୍ତି । ଏଥି ସହିତ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ସଭାପତି ଅଭିମନ୍ୟୁ ଗୌଡଙ୍କ ନେତୃତ୍ବରେ ଆଇନଜୀବୀ ରଜତ କୁମାର ଦାଶ, ଚନ୍ଦ୍ରମଣି ମହାପାତ୍ର ଓ ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ବିଡିଓ ଓ ୫ଟି ସଚିବ ଙ୍କ ମାଧ୍ୟମରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ପ୍ରଶାସନିକ ସ୍ତରରେ ୫ଟି ସଚିବଙ୍କ କାଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଅପରପକ୍ଷରେ ରାଜନୈତିକ ଦୃଷ୍ଟି ଭଙ୍ଗୀରୁ ଅନ୍ୟ ସ୍ଥାନ ଗୁଡିକ ଭଳି ଭଞ୍ଜନଗରରେ ବିରୋଧୀ ଦଳ ମାନଙ୍କ ପକ୍ଷରୁ କୌଣସି ବିରୋଧ କରାଯାଇନାହିଁ । ବିରୋଧୀ କଂଗ୍ରେସ ଏକ ରକମ ସଚିବଙ୍କ ଗସ୍ତକୁ ସମର୍ଥନ ଦେବା ସହ ସୋସିଆଲ ମିଡିଆରେ ସ୍ବାଗତ ଜଣାଇଥିବା ବେଳେ ବିଜେପି ପକ୍ଷରୁ ଯୁବ ନେତା ଅଯୋଧ୍ୟା ମହାପାତ୍ରଙ୍କ ନେତୃତ୍ୱରେ ମୁହଁରେ କଳା ପଟି ପିନ୍ଧି କିଛି ସମୟ ପାଇଁ ବାଇପାସ ରୋଡ଼ ନିକଟରେ ନିରବ ପ୍ରତିବାଦ କରାଯାଇଥିଲା ।