ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୨ ଦଫା ଦାବୀରେ ବନ୍ଦ ଡାକରା, ଘୁ.ଉଦୟଗିରି ସହରରେ ଦୋକାନ ବଜାର ବନ୍ଦ ସହ ଯାତାୟାତ ସେବା ଠପ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଦେଶର ଆଦିବାସୀମାନଙ୍କ ଉପରେ ହେଉ ଥିବା ଅନ୍ୟାୟ ଅତ୍ୟାଚାର ଓ ତାଙ୍କ ବିରୋଧରେ ସଂସଦରେ ପ୍ରଣୟନ କରା ଯାଉଥିବା ଆଇନ ପ୍ରତିବାଦରେ ୨୨ ଦଫା ଦାବି ନେଇ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆ ଯାଇଛି I ବନ୍ଦର ଡାକରା ଫଳରେ ଘୁ.ଉଦୟଗିରି ସହରରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା I ବନ୍ଦ ପ୍ରଭାବରେ ସମସ୍ତ ସରକାରୀ ବେସରକାରୀ ବସ ଗାଡ଼ି ମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ ହୋଇ ଥିଲା I ଏହି ୧୨ ଘଣ୍ଟିଆ ବନ୍ଦ ପ୍ରଭାବରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି I ଆନ୍ଦୋଳନ କାରୀ ମାଲବାହୀ ଟ୍ରକ ଓ ଯାତ୍ରୀବାହୀ ବସ ଅଟକାଇବା ସହ କଳିଙ୍ଗିଆ ମୁଖ୍ୟରାସ୍ତା ଅବରୋଧ କରିଥିଲେ I ବନ୍ଦର ପ୍ରଭାବରେ ସ୍କୁଲ, କଲେଜ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ ଏବଂ ବ୍ୟାଙ୍କ ସେବାରେ ବ୍ୟାପକ ବାଧା ପ୍ରାପ୍ତ ହୋଇ ଥିଲା I ସମାନ ନାଗରିକ ସଂହିତା ଉଚ୍ଛେଦ ଓ ମଣିପୁର ସାମ୍ପ୍ରଦାୟିକ ହିଂସା ବନ୍ଦ କରିବା ସହିତ ପିଡ଼ିତାଙ୍କୁ ନ୍ୟାୟ ଦେବା ଭଳି ୨୨ ଦଫା ଦାଵୀ ନେଇ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିବା ଆନ୍ଦୋଳନ କାରୀମାନେ କହିଛନ୍ତି I ରାଷ୍ଟ୍ରୀୟ ଆଦି ବାସୀ ଏକତା ପରିଷଦର ନେତୃବୃନ୍ଦ ମଣିପୁରରେ ଘଟିଥିବା ଆଦିବାସୀ ମହିଳାଙ୍କ ପ୍ରତି ଅମାନୁଷିକ ଦୁର୍ବ୍ୟବହାର ଓ ଅତ୍ୟାଚାରର ଘୋର ନିନ୍ଦା କରିଥିଲେ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବନ୍ଧ ଛକ ଠାରେ ନାରାବାଜି ଦେଇଥିଲେ I ଯେଉଁ ଭଳି କୌଣସି ଅପ୍ରିତିକାର ପରି ସ୍ଥିତି ନ ଘଟେ ସେଥିପ୍ରତି ସ୍ଥାନୀୟ ପୁଲିସ ବାହିନୀ ସଜାଗ ରହି ବିଭିନ୍ନ ଅଞ୍ଚଳ ବୁଲି ପଇଁତରା ମାରୁଥିବା ଦେଖିବାକୁ ମିଳିଛି I ଏହି ବନ୍ଦ ଡାକରାକୁ ଘୁ. ଉଦୟଗିରି ବାସୀ ପୂର୍ଣ୍ଣ ସମର୍ଥନ କରି ଥିବା ଦେଖିବାକୁ ମିଳିଛି I ଏହି ପୂର୍ଣ୍ଣ ସମର୍ଥନ ପାଇଁ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର କର୍ମକର୍ତ୍ତା ଅଞ୍ଚଳ ଵାସୀଙ୍କୁ ସାଧୁବାଦ ଜଣାଇବା ସହ ଏହି ହକର ଲଢେ଼ଇରେ ଅଧିକରୁ ଅଧିକ ସମର୍ଥନ କରିବା ପାଇଁ ଅନୁରୋଧ କରାଯାଇଛି I