ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ଭାବେ ସନ୍ତୋଷ ନିର୍ବାଚିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗତ କିଛି ମାସ ତଳେ ସାରା ରାଜ୍ୟରେ ହୋଇଥିବା ଯୁବ କଂଗ୍ରେସ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଅନଲାଇନ ଦ୍ୱାରା ହୋଇଥିବା ଏହି ମତଦାନ ପ୍ରକ୍ରିୟାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ସନ୍ତୋଷ କୁମାର ପ୍ରଧାନ (ମଣ୍ଟୁ ) ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜଗନ୍ନାଥପ୍ରସାଦର ଯୁବ ନେତା ରଜନୀକାନ୍ତ ବିଶ୍ୱାଳଙ୍କୁ ପରାସ୍ତ କରିଛନ୍ତି । ସନ୍ତୋଷ ୪୯୬ ଖଣ୍ଡ ଭୋଟ ପାଇଥିବା ବେଳେ ରଜନୀ ୨୯୪ ଖଣ୍ଡ ଭୋଟ ପାଇଥିଲେ । ଅନଲାଇନ ଯୋଗେ ମତାଧିକାର ନିମନ୍ତେ ଉଭୟ ଙ୍କ ମଧ୍ୟ ତୀବ୍ର ପ୍ରତିଯୋଗିତା ଲାଗି ରହିଥିଲା । ଫଳାଫଳ ପ୍ରକାଶିତ ହେବା ପରେ ଭଞ୍ଜନଗର ଯୁବ କଂଗ୍ରେସ କର୍ମୀମାନଙ୍କ ଠାରେ ଖୁସିର ଲହରୀ ଖେଳି ଯାଇଛି । ବିଜୟ ଲାଭ ପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ସଂଯୋଜକ ବିସ୍ମୟ ମହାପାତ୍ର, ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ଦିଗାଲ, ପିସିସି ସଭ୍ୟ ଦେବି ବିଶୋଇ, ଜିଲ୍ଲା ସମ୍ପାଦକ ଜବାହାରଲାଲ ସାହୁ ଓ ନାରାୟଣ ସେଠି, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ ଓ ବରିଷ୍ଠ ଆଇନୀଜୀବୀ ସହସ୍ରାଂଶୁ ରାଉତଙ୍କ ସମେତ ବହୁ ଯୁବ ବର୍ଗ ସନ୍ତୋଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ବହୁମୁଖୀ ଦୁର୍ନୀତି ଓ କେନ୍ଦ୍ର ସରକାରର ଜନ ବିରୋଧୀ ଓ ସାମ୍ପ୍ରଦାୟିକତା ନୀତି ବିରୋଧରେ ଯୁବ କଂଗ୍ରେସ ଲଢେଇ କରିବା ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଦଳ କିପରି ପୂର୍ବଅବସ୍ଥାକୁ ଫେରିବ ସେଥି ନିମନ୍ତେ ଯୁବ ଗୋଷ୍ଠୀ ଓ ନେତୃବୃନ୍ଦକୁ ନେଇ କାଯ୍ୟ କରିବି ବୋଲି ସନ୍ତୋଷ ପ୍ରକାଶ କରିଛନ୍ତି ।