ଦୁବାଇ ଅଭିମୁଖେ ହିଞ୍ଜିଳିର ୩୫ ଜଣିଆ ପ୍ରତିନିଧି ଦଳ…

ଅନୁସନ୍ଧାନ ଭାରତ(ବ୍ୟୁର): ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ଲକ ଭାବରେ ହିଞ୍ଜିଳିକାଟୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନୀତ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା ସହ ସଂପୃକ୍ତ ଥିବା ହିଞ୍ଜିଳି ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦୁବାଇ ପରିଦର୍ଶନ ପାଇଁ ପଠାଯାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳ, ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଓ ଶେରଗଡ଼ ପଞ୍ଚାୟତ ସମିତିର ନିର୍ବାଚିତ ଜନ ପ୍ରତିନିଧି, ମିଶନ ଶକ୍ତିର ସଦସ୍ୟା ମାନେ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଛନ୍ତି । ବୁଧବାର ସକାଳେ ଏହି ପ୍ରତିନିଧି ଦଳ ହିଞ୍ଜିଳିକାଟୁ ଠାରୁ ଦୁବାଇ ଅଭିମୁଖେ ପ୍ରସ୍ଥାନ କରିଛନ୍ତି । ଏହି ଯାତ୍ରା କାଳରେ ପ୍ରତିନିଧି ମଣ୍ଡଳୀ ୩ଦିନ ଯାଏଁ ସେଠାରେ ରହି ସେଠାକାର ବାଣିଜ୍ୟ, ଗମନାଗମନ/ପରିବହନ ଓ ପରିମଳ ଆଦି ଅନ୍ୟାନ୍ୟ ଶିକ୍ଷଣୀୟ ଓ ଅନୁକରଣୀୟ ବ୍ୟବସ୍ଥା ଦେଖି ବୁଝି ଫେରିବେ । କୃଷି ବିପଣନ ବୋର୍ଡର ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ଵତୀ ସେଠୀ, ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି ଉପସ୍ଥିତ ରହି ବିଦେଶ ଗସ୍ତରେ ଯାଉଥିବା ପ୍ରତିନିଧି ଦଳକୁ ଶୁଭକାମନା ଜଣାଇଥିଲେ।