ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବହୁ ଚର୍ଚ୍ଚିତ ତାମାଙ୍ଗି- କୁମ୍ଭାରୀପଦର ଭୂସ୍ଖଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ l ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡାପଞ୍ଚାୟତର କୁମ୍ଭାରୀପଦର ଗାଁ ମୁଣ୍ଡ ପାହାଡ଼ରେ ପ୍ରତି ବର୍ଷ ଲଗାଣ ବର୍ଷାରେ ଭୂସ୍ଖଳନ ଦେଖାଦେଉଥିବା ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ଭୟଭୀତ ହୋଇ ବ୍ଲକ୍ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ I
ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ଭୂତତ୍ଵବିତମାନେ ଆସି ଉକ୍ତ ଅଞ୍ଚଳର ମାଟି ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ସେଠାକାର ବାସୀନ୍ଧାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଥଇଥାନ କରାଯାଇଛି I ତେବେ ଗୃହ ନିର୍ମାଣ କାର୍ଯ୍ୟ ସରି ନ ଥିବାରୁ ଗ୍ରାମବାସୀମାନେ ନିଜ ନିଜ ଗୃହରେ ରହୁଛନ୍ତି I ଖରାଦିନେ ଭୂସ୍ଖଳନର ଆଶଙ୍କା ନ ଥିବାରୁ ସ୍ଥାନୀୟ ବାସୀ ପୁଣି ଥରେ ସେହି ପାହାଡ଼କୁ ଯିବା ଆସିବା କରୁଥିଲେ I ତେବେ ବର୍ଷା ଦିନେ ଭୂସ୍ଖଳନ ଆଶଙ୍କା ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରି ଉକ୍ତ ଅଞ୍ଚଳକୁ କେହି ପ୍ରଵେଶ ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି I ବୁଧବାର ଦିନ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବରଙ୍କ ସମେତ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଲୋକଙ୍କୁ ସଚେତନ କରିଥିଲେ ଏବଂ ଭୂସ୍ଖଳନ ଅଞ୍ଚଳର ପ୍ରବେଶ ପଥକୁ ସିଲ କରିବା ସହ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ଜଣାପଡିଛି l